ସୀମାରେ ଥମୁନି ଗୁଳିବର୍ଷା ! ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା 

94

କନକ ବ୍ୟୁରୋ : ଜମ୍ମୁ କଶ୍ମୀ‌ର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ଆଜି ଗୋଟିଏ ଦିନରେ ୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପ୍ରାୟ ୭ ଘଣ୍ଟା ଧରି ଉଭୟ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା । ଭାରତ ପଟୁ କଡ଼ା ଜବାବ ମିଳିବା ଏବଂ ବ୍ୟାପକ କ୍ଷୟକ୍ଷତି ସତ୍ତେ ପାକିସ୍ତାନ ଗୋଳାବର୍ଷା ଜାରି ରଖିଥିଲା । ଏଲ୍‌ଓସି ନିକଟସ୍ଥ ଆଗୁଆ ଘାଟିଗୁଡ଼ିକୁ ଟାର୍ଗେଟ୍‌ କରି କ୍ଷୟକ୍ଷତି ଘଟାଇବାରେ ପାକ୍‌ସେନା ଆଜି ବିଫଳ ହେବା ପରେ ଜନବସତି ଉପରେ ଗୋଳା ବର୍ଷା କରିଥିଲା । ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା ।

ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଏବେ ସୀମା ଅଂଚଳର ସର୍ବାଧିକ ସମ୍ବେଦନଶୀଳ ସ୍ଥାନଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଏବଂ ପ୍ରାୟ ୫ ହଜାର ଜନତା ସେନାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିଛନ୍ତି । ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲା‌ ସ୍ଥିତ ୬ଟି ସେକ୍ଟରରେ ଆଜି ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଲଗାତାର ସପ୍ତାହେ ହେଲା ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏବେ ଜମ୍ମୁ କଶ୍ମୀର ପ୍ରଶାସନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ସ୍ଥାୟୀ ସୁରକ୍ଷା ଶିବିର ଯୋଜନା କରିଛନ୍ତି । ବାଲାକୋଟ୍‌ ବାୟୁସେନା ଆକ୍ରମଣ ପରଠାରୁ ପାକ୍‌ ସେନା ଅନବରତ ଆଗୁଆ ପୋଷ୍ଟ୍‌ ଗୁଡ଼ିକୁ ଟାର୍ଗେଟ୍‌ କରୁଛି ।

ସୂଚନାନୁଯାୟୀ ଜମ୍ମୁ , ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାରେ ୭୪୪ କିମି ଲମ୍ବ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଗ୍ରାମବାସୀମାନେ ଘରୁ ବାହାରି ପାରୁନାହାନ୍ତି । ଆଜି ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାରେ ଏଲ୍‌ଓସିଠାରୁ ୫ କିମି ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ସୀମା ନିକଟସ୍ଥ ଗ୍ରାମବାସୀମାନଙ୍କୁ ବାହାରକୁ ନ ବାହା‌ରିବାପାଇଁ କୁହାଯାଇଛି । ଉରି ଜିଲ୍ଲାରେ ଦୁଇଟି ଗ୍ରାମର ସମସ୍ତ ‌ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ପାକ୍‌ ‌ସେନାଦ୍ବାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ୫ ଜଣ ଭାରତୀୟ ଯବାନ ଆହତ ହୋଇଥିଲେ ।