ପ୍ରଧାନମନ୍ତ୍ରୀଙ୍କ ସଭା ପୂର୍ବରୁ ଗୋଶାଳା ପଡ଼ିଆରେ ସ୍ଥିତି ପରଖିଲେ ଧର୍ମେନ୍ଦ୍ର, ଜୁଏଲ ଓ ବସନ୍ତ ପଣ୍ଡା: ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

147

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଖୋର୍ଦ୍ଦା ଯାଇ ଗୋଶାଳା ପଡ଼ିଆରେ ପ୍ରଧାନମନ୍ତ୍ରୀ କରିବାକୁ ଥିବା ସଭାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କିପରି ହୋଇଛି ସେନେଇ ଉଚ୍ଚପଦସ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

 

ଆସନ୍ତାକାଲି ଓଡ଼ିଶାରେ ୩ ଘଂଟାର ରହଣି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । କାଲି ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ନରେନ୍ଦ୍ର ମୋଦି । ସେଠାରୁ ହେଲିକପ୍ଟର ଯୋଗେ ୧ଟା ୪୦ମିନିଟ ସମୟରେ ଭୁବନେଶ୍ୱର ଆଇଆଇଟି ଯିବେ । ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଖୋର୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡିଶା ଗସ୍ତ ବେଳେ ୧୪ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସଭାକୁ ପାଣି ବୋତଲ ମନା

ସେପଟେ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ମୋଦିଙ୍କ ସଭାକୁ ପାଣି ବୋତଲ ଓ ପାଣି ପାଉଚ୍ ନେବା ଉପରେ କଟକଣା ଲଗାଇଛି ପୋଲିସ୍ । ଏହା ସହିତ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବ । ଏବଂ ୪ଜଣ ଏସପି,୩୦ ଡିଏସପି ଓ ୪ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖିବେ । ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶିୀ ।