ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଆଜି ଇଭିଏମ ସହ ବୁଥକୁ ଯିବେ ପୋଲିଂ ପାର୍ଟି । ମାଓପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

115

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପୋଲିଂ ପାର୍ଟି ବୁଥକୁ ଯିବା ପାଇଁ ପହଁଚି ସାରିଲେଣି । ଇଭିଏମ ମେସିନ ସହ ଆଜି ବିଭିନ୍ନ ବୁଥକୁ ଯିବେ ପୋଲିଂ ପାର୍ଟି । ଆସନ୍ତାକାଲି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ । କଡା ସୁରକ୍ଷା ବଳୟ ଭିତରେ ପୋଲିଂ ପାର୍ଟିକୁ ବୁଥ ମାନଙ୍କରେ ପହଁଚାଇବା ପାଇଁ ପ୍ରସ୍ତୁତି କରାଯାଇଛି ।

ଅନ୍ୟପଟେ, ନିର୍ବାଚନ ତାରିଖ ପାଖେଇବା ସହ ସୁରକ୍ଷାକୁ ପୁଲିସ କଡା କଡି କରିଛି । ଅବାଧ ଭୟମୁକ୍ତ ନିର୍ବାଚନ କରିବା ପାଇଁ ରାୟଗଡାରେ ଫ୍ଲାଗ ମାର୍ଚ କରିଛି ପୁଲିସ । ରାୟଗଡା ଏସଡିପିଓଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ କରିଛନ୍ତି ସୀମା ସୁରକ୍ଷା ସଶସ୍ତ୍ର ବାହିନୀର ଯବାନ । ସୁରକ୍ଷା ବାହିନୀଙ୍କ ଫ୍ଲାଗ ମାର୍ଚ ସ୍ଥାନୀୟ ଜିସିଡି ପଡିଆରୁ ବାହାରି ଓଭର ବ୍ରିଜ ଦେଇ ରାୟଗଡା ଉପଜିଲ୍ଲାପାଳଙ୍କ ଅଫିସ, ଷ୍ଟାଡିୟମ ଆଦି ଅଂଚଳରେ ମାର୍ଚ କରିଛି । ରାୟଗଡା ସହର ସମେତ ଚାନ୍ଦିଲି, କୁମ୍ଭୀକୋଟା, କାଶୀପୁର, ସେସଖାଲରେ ମଧ୍ୟ ଫ୍ଲାଗ ମାର୍ଚ କରାଯାଇଥିବା ରାୟଗଡା ଏସଡିପିଓ କହିଛନ୍ତି । ଏହାସହ ଅସାମାଜିକ ବ୍ୟକ୍ତିଙ୍କୁ କାର୍ଯ୍ୟ କଳାପକୁ ରୋକିବା ପାଇଁ ରାୟଗଡା ପୁଲିସ ଏବେ ସୁଦ୍ଧା ୮୩୪ ଜଣଙ୍କ ବିରୋଧରେ ୧୦୭ ଧାରାରେ ନୋଟିସ ଜାରି କରିଛି ।

ସେପଟେ, ଆଗାମୀ ୧୧ ତାରିଖରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗଜପତିରେ ନିର୍ବାଚନ ହିଂସା, ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାର ମୋଟ ୫୭୩ଗୋଟି ବୁଥ୍ ପାଇଁ ୧୪ଜଣ ଡିଏସପି, ୧୨ଜଣ ଇନସ୍ପେକ୍ଟର, ୧୧୨ଜଣ ସବ୍ ଇନସ୍ପେକ୍ଟରଙ୍କ ସହ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ ।

ଏଥିସହ ୪୨ ମୋବାଇଲ ପୋଲିସ ଟିମ୍, ୮୨ ଅତି ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତି ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।