ଆଉ ୪ ଦିନ ପରେ ନୂଆବର୍ଷ ! ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଲେ କମିସନରେଟ୍ ପୋଲିସ୍

25

କନକ ବ୍ୟୁରୋ : ଆଉ ମାତ୍ର ୪ ଦିନ ପରେ ଆସିବ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷର ଆଗମନ ପାଇଁ ରାଜଧାନୀବାସୀ ପ୍ରସ୍ତୁତି ଆରମ୍ଭ କଲେଣି । ନୂଆବର୍ଷକୁ ଜାକଜମକର ସହିତ ପାଳନ ପାଇଁ ଏବେଠାରୁ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳଠାରୁ ଆରମ୍ଭ କରି ହୋଟେଲ୍, ବାର୍, ସପିଂ ମଲରେ ଲୋକଙ୍କ ଭିଡ଼ ଜମିଲାଣି । ବିଶେଷ କରି ଡିସେମ୍ବର ୩୦ରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଛକ, ରେଳଷ୍ଟେସନ୍, ସପିଂ ମଲ୍, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ରହିବ । ତେଣୁ ସେହି ଦିନଗୁଡ଼ିକରେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ କମିସନରେଟ୍ ପୁଲିସ । ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଲେ କମିସନରେଟ୍ ପୋଲିସ୍ ।

କେବଳ ହୋଟେଲ ଗୁଡ଼ିକୁ ଏନେଇ ମିଳିବ ଅନୁମତି । କମର୍ସିଆଲ ପାର୍ଟି ଓ ଇଭେଣ୍ଟ ଉପରେ କଟକଣା ଜାରି କରିଛି କମିସନରେଟ୍ ପୋଲିସ୍ । ଏଥିପାଇଁ ସମସ୍ତ ସ୍ଥାନୀୟ ପୁଲିସ ଥାନା ନିଜ ନିଜ ଅଞ୍ଚଳର ତଦାରଖ କରିବେ । ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର ୱାଇ.ବି ଖୁରାନିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ବିଭିନ୍ନ ଟ୍ରାଫିକ୍, ଛକ, ସପିଂମଲ୍, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଲାଗିଥିବା ସିସିଟିଭି ମଧ୍ୟ ସମସ୍ତଙ୍କ ଉପରେ ନଜର ରଖିବ। କୌଣସି ଅଘଟଣ ଘଟିଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ୱାଇ.ବି ଖୁରାନିଆ କହିଛନ୍ତି ।

ନୂଆ ବର୍ଷ ଦିନ ଯାଏ ସବୁ ଛକରେ ବ୍ଲକିଂ – ଆଜିଠାରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ୟ୍ୟନ୍ତ ସମସ୍ତ ଟ୍ରାଫିକ୍ ପୋଷ୍ଟ, ଛକ ଗୁଡ଼ିକରେ ପୁଲିସ କର୍ମଚାରୀ ଜଗି ରହିବେ। ସେହିପରି ପିସିଆର ଭ୍ୟାନ୍ ଓ ବାଇକ୍ ପାଟ୍ରୋଲିଂ ମଧ୍ୟ ଜାରି ରହିବ । ମଦ୍ୟପ ଚାଳକଙ୍କୁ ଧରିବାପାଇଁ ବ୍ରେଥ୍ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ । ଯଦି କେହି ନିଶାସକ୍ତ ଚାଳକ ଜଣାପଡ଼େ ସେମାନେ ୫ ଶହ ଟଙ୍କା ଜରିମାନା ଗଣିବେ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି । ସେହିପରି ବେପରୁଆ ଗାଡ଼ିଚାଳକଙ୍କ ପାଇଁ ମଧ୍ୟ ଆଇନ୍କୁ କଡ଼ାକଡ଼ି କରାଯାଇଛି । ଯଦି କେହି ଗାଡ଼ିଚାଳକ ଦ୍ରୁତ ଗତିରେ ହେଉ ବା ବେପରୁଆ ଭାବେ ଗାଡ଼ି ଚଳାଉ ଥିବେ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପର୍ଯ୍ୟଟନସ୍ଥଳୀ, ହୋଟେଲ୍ ଓ ସପିଂମଲ୍କୁ ଜଗିବେ ପୁଲିସ – ନୂଆବର୍ଷ ଉତ୍ସବ ପାଇଁ ରାଜଧାନୀରେ ଥିବା ବିଭିନ୍ନ ତାରକା ହୋଟେଲରେ ପ୍ରସ୍ତୁତି ସରିଲାଣି । ସେହିପରି ଲିଙ୍ଗରାଜ ମନ୍ଦିର, ନନ୍ଦନକାନନ, ଖଣ୍ଡଗିରି ଉଦୟଗିରି, ସଂଗ୍ରହାଳୟରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଲାଣି । ଉତ୍ସବ ସମୟରେ ଯେମିତି କୌଣସି ଅଘଟଣ ନଘଟେ, ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ପାଇଁ କମିସନରେଟନ ପୁଲିସ ପ୍ରସ୍ତୁତି ହେଉଛି । ତେଣୁ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ତେଣୁ ଡିସେମ୍ବର ୩୦ ତାରିଖରୁ ୧ ତାରିଖ ପର୍ୟ୍ୟନ୍ତ ଏହି ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯିବ ।