ଏବେ ବି ବଞ୍ଚିଛି ମାନବିକତା ! ବାପା ମା’ ଛେଉଣ୍ଡ ଝିଅଙ୍କ ସୁରକ୍ଷା ଦାୟିତ୍ୱ ନେଲା ସୁରକ୍ଷା ଯୋଗାଉଥିବା କେ-ୱାନ ସିକ୍ୟୁରିଟି ସଂସ୍ଥା

83

କନକ ବ୍ୟୁରୋ : କିଏ କହିଲା ଦୁନିଆରୁ ହଜିଗଲାଣି ମାନବିକତା? କିଏ କହିଲା ସମବେଦନାର ଆହା ପଦେ କହିବାକୁ କାହା ପାଖରେ ସମୟ ନାହିଁ । ଏବେ ମଧ୍ୟ ବଞ୍ଚି ରହିଛି ମାନବିକତା । ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ, ମାନବିକ ମୂଲ୍ୟବୋଧ ପ୍ରତି ଆପଣଙ୍କର ଆସ୍ଥା ବଢିଯିବ । ବିଭିନ୍ନ ସଂସ୍ଥାକୁ ସୁରକ୍ଷା ଯୋଗାଇ ଦେଉଥିବା ଏକ ଘରୋଇ ସଂସ୍ଥା ନେଇଛି ତିନି ଅନାଥ ଝିଅଙ୍କ ସୁରକ୍ଷାର ଦାୟିତ୍ୱ ।

ହାତରେ ବାପା, ମାଆଙ୍କ ଫଟୋ ଧରି ଅତୀତର ସ୍ମୃତି ସାଉଁଟୁଥିବା ଭୁବନେଶ୍ୱରର ତିନି ଭଉଣୀଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଝରିଆସିବ । ପାଂଚ ବର୍ଷତଳେ ବାପା ହୃଦଘାତରେ ଚାଲି ଯାଇଥିଲେ । ହେଲେ ତିନି ଝିଅଙ୍କୁ ବାପାଙ୍କ ଅଭାବ ଅନୁଭବ ହେବାକୁ ଦେଇନଥିଲେ ମାଆ । ପରଘରେ ପାଇଟି କରି ପିଲାଙ୍କ ସବୁ ଆବଶ୍ୟକତା ପୂରଣ କରୁଥିଲେ ରେଣୁବାଳା । କିନ୍ତୁ ଏତିକି ସହି ପାରିଲେଣି ଭଗବାନ । ଭାଗ୍ୟର ବିଡମ୍ବନା, ଗତ ମାସରେ ମା’ ମଧ୍ୟ କିଡନୀ ରୋଗରେ ଆରପାରିକୁ ଚାଲିଗଲେ । ବାପା ମାଆ ଛେଉଣ୍ଡ ଏହି ତିନି ଝିଅଙ୍କ ଉପରେ ଛିଡିପଡିଲା ଦୁଃଖର ପାହାଡ । କଣ କରିବେ କଣ ନ କରିବେ କିଛି ଭାବି ପାରିଲେ ନାହିଁ । ଅତି ଛୋଟ ବୟସରୁ ବାପା ମା’ ଛେଉଣ୍ଡ ହୋଇଗଲେ ତିନି ଭଉଣୀ ।

ଗତ ୧୦ ତାରିଖରେ ଓଡିଶାର ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ସମ୍ବାଦରେ ପ୍ରକାଶ ପାଇଥିଲା ଏହି ତିନି ଭଉଣୀଙ୍କ ଦୁଃଖଦ କାହାଣୀ ।ସମ୍ବାଦ ଖବରକାଗଜ ମାଧ୍ୟମରେ ସହାୟତା ପାଇଁ ଅପିଲ କରିଥିଲେ ତିନି ଭଉଣୀ । ଏହି ଖବର ପଢିବା ପରେ ସହଯୋଗର ହାତ ବଢାଇଛି କେ-ୱାନ ସିକ୍ୟୁରିଟି ସଂସ୍ଥା । ବିଭିନ୍ନ ପ୍ରତିଷ୍ଠାନକୁ ସୁରକ୍ଷା ଯୋଗାଇ ଦେଉଥିବା ଏହି ସଂସ୍ଥା ତିନି ଭଉଣୀଙ୍କ ସୁରକ୍ଷାର ଦାୟିତ୍ୱ ନେଇଛି । ବଡ ଭଉଣୀ ସସ୍ମିତାଙ୍କୁ ଚାକିରି ଦେବାସହ ଅନ୍ୟ ଦୁଇ ଭଉଣୀଙ୍କ ପାଠପଢା ଖର୍ଚ୍ଚ ବହନ କରିବ ବୋଲି କହିଛି ।

ସମ୍ବାଦର ଲକ୍ଷ୍ୟ ସଂପର୍କ ଯୋଡିବା । ଆଉ ସମ୍ବାଦରେ ଖବର ପ୍ରକାଶ ପରେ ସହାୟତା ପାଇଁ କେ-ୱାନ ସିକ୍ୟୁରିଟି ସଂସ୍ଥା ଆଗେଇ ଆସୁଥିବାରୁ କୃତଜ୍ଞତା ଜଣାଇଛନ୍ତି ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ଭିତରେ ଯେ, ମାନବିକତା ବଂଚି ରହିଛି ପୁଣିଥରେ ତାର ପ୍ରମାଣ ମିଳିଛି ।