ରଥଯାତ୍ରାରେ ମୁତୟନ ହୋଇପାରନ୍ତି ଏନଏସଜି କମାଣ୍ଡୋ । ପୋଲିସ ସ୍କାନରରେ ରହିବ ପୂରା ପୁରୀ, ମୁତୟନ ହେବେ ୧୪୨ ପ୍ଲାଟୁନ ପୋଲିସ ଫୋର୍ସ

32

କନକ ବ୍ୟୁରୋ : ଦୁଇ ଦିନ ପରେ ରଥଯାତ୍ରା । ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮୫ଟି ସିସିଟଭି ନଜରରେ ରହିବ ରଥଯାତ୍ରାର ପୂରା ପ୍ରକିୟା । ୮୦୦ ଅଫିସର, ୧୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ଜଗିରହିବେ ପୁରୀକୁ । ୧୨ ଜଣ ବରିଷ୍ଠ ଆଇପିଏସ ଅଧିକାରୀ ଉପସ୍ଥିତ ରହିବେ । ଆଜି ଡିଜିପିଙ୍କ ଅଧ୍ୟକ୍ଷତାରେ ଶେଷ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସେପଟେ ରଥଯାତ୍ରା ସୁରକ୍ଷା ପାଇଁ ଏନଏସଜି କମାଣ୍ଡୋ ମୁତୟନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ରଥଯାତ୍ରା ନେଇ ପୁରୀରେ ସବୁଠୁ ବଡ ସୁରକ୍ଷା ବ୍ୟବସ୍ଥା । ୮୦୦ ଅଫିସର  ଓ ୧୪୨ ପୋଲିସ ପ୍ଲାଟୁନ  ଫୋର୍ସର ସୁରକ୍ଷା ବଳୟରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୧୨ ଜଣ ଆଇପିଏସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ପରିଚଳନା କରିବେ । ଶ୍ରୀମନ୍ଦିରରେ ୭୦ଟି, ବଡ଼ଦାଣ୍ଡରେ ୩୦ଟି ସିସିଟିଭି ସହ ମୋଟ ୧୮୫ଟି ସିସିଟିଭି ପୂରା ପ୍ରକ୍ରିୟା ଉପରେ ନଜର ରଖିବ । ରେଳଷ୍ଟେସନଠାରୁ ମାଲତୀପାଟପୁର ବସଷ୍ଟାଣ୍ଡ ସବୁଠାରେ ରହିବ ସିସିଟିଭିର ନଜର । ଆଜି ଶ୍ରୀମନ୍ଦିର ଭିତରେ ସୁରକ୍ଷା ନେଇ ରିଭ୍ୟୁ କରାଯାଇଛି । ଏହାଛଡ଼ା ସିଂହଦ୍ୱାରା ସାମନାରେ ହୋଇଛି ମକ୍ ଡ୍ରିଲ୍ । ଯେକୌଣସି ଅଘଟଣର ମୁକାବିଲା ପାଇଁ ସଜାଗ ରହିବେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ । ଡିଜି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ସମୀକ୍ଷା ବୈଠକରେ ୮୦୦ ପୁଲିସ ଅଫିସରଙ୍କ ସମେତ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ହୋଇଛନ୍ତି ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସୁରକ୍ଷା ପାଇଁ ଏନଏସଜି କମାଣ୍ଡୋ ମୁତୟନ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଦୁଇ ବର୍ଷ ହେଲା ନାସନାଲ୍ ସିକୁରିଟି ଗାର୍ଡ ଷ୍ଟାଣ୍ଡ-ବାୟ ରହିଥିବା ବେଳେ ଏଥର କମାଣ୍ଡୋ ମୁତୟନ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । କାରଣ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହେଉଥିବାରୁ ସିକ୍ୟୁରିଟି ନେଇ ଆଶଙ୍କା ରହିଥାଏ । ଏହାଛଡ଼ା ଆତଙ୍କବାଦୀ ହମଲା ନେଇ ସବୁବେଳେ ଗୃହ ମନ୍ତ୍ରାଳୟର ସିକୁରିଟି ସ୍କାନରରେ ରହିଆସିଛି ଶ୍ରୀମନ୍ଦିର । କିଛି ଦିନ ତଳେ ପୁରୀରେ ଏନଏସଜି କମାଣ୍ଡୋମାନେ ମକ୍ ଡ୍ରିିଲ କରିଥିଲେ । ରାଜ୍ୟ ପୋଲିସ ସହ ମଧ୍ୟ ଆଲୋଚନା କରିଥିଲେ ଏନଏସଜି ଅଧିକାରୀ । ଏନଏସଜି ହେଉଛି ଭାରତର ସବୁଠୁ ଦୁର୍ଦ୍ଧର୍ଷ କମାଣ୍ଡୋ ବାହିନୀ । ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଅନେକ ବଡ଼ ବଡ଼ ଆତଙ୍କବାଦୀ ହମଲାକୁ ସଫଳତାର ସହ ମୁକାବିଲା କରିଛି ଏନଏସଜି ।