୨୯ ଜିଲ୍ଲାର ୨୦ ହଜାର ୩୬୯ ବୁଥରେ ମତଦାନ ଆରମ୍ଭ ! ସିସିଟିଭି, ଭିଡିଓଗ୍ରାଫି ଜରିଆରେ ସମ୍ବେଦନଶୀଳ ବୁଥ ଉପରେ ନଜର

22

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ଯାଏଁ ଚାଲିବେ । ଧିରେ ଧିରେ ଭୋଟ ଦେବା ପାଇଁ ବୁଥକୁ ଆସୁଛନ୍ତି ଭୋଟର । ଦିନ ୧୨ଟାରେ ଭୋଟଗ୍ରହଣ ଶେଷ ହେବ । ପରେ ଦିନ ଗୋଟାଏରୁ ଭୋଟ ଗଣତି ହୋଇ ସଂଧ୍ୟା ସୁଦ୍ଧା ଫଳାଫଳ ଆସିବ । ତେବେ ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ସମୁଦାୟ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ସେହିପରି ମାଓପ୍ରଭାବିତ ଅଂଚଳରେ ମତଦାନ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହୁଏ ସେଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେବଗଡ ଜିଲ୍ଲାକୁ ଛାଡି ବାକି ୨୯ ଜିଲ୍ଲାରେ ଆଜି ଭୋଟିଂ ଚାଲିଛି । ୧୮୯ଟି ଜୋନର ସରଂପଚ, ୱାର୍ଡ ମେମ୍ବର ଓ ସମିତି ସଭ୍ୟ ନିର୍ବାଚନ ପାଇଁ ସକାଳରୁ ମତଦାନ ଆରମ୍ଭ ହୋଇଛି । ଆଜି ୧୫୦୬ ଗ୍ରାମ ପଂଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

୨୯ ଜିଲ୍ଲାର ୨୦ ହଜାର ୩୬୯ ବୁଥରେ ମତଦାନ କରିବେ ୫୮ଲକ୍ଷ, ୨୮ହଜାର, ୪୪୬ ଭୋଟର । ପୂର୍ବରୁ ଚିହ୍ନିତ ସମ୍ବେଦନଶୀଳ ବୁଥ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋମନା ବ୍ଲକର ଗୋଟିଏ ଜୋନକୁ ଛାଡି ୧୮୮ ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବାଛିବେ ଜନତା । ନିର୍ବାଚନ କମିସନଙ୍କ ସୂଚନା ମୁତାବକ ଏହି ୧୮୮ ଜିଲ୍ଲା ପରିଷଦ ଆସନ ପାଇଁ ୭୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।