‘ଅମରନାଥ ଗୁମ୍ଫା’ର ଅଜଣା ରହସ୍ୟ ! ଏବେ ବି ଗୁମ୍ଫା ମଧ୍ୟରେ ରହିଛନ୍ତି ‘ଅମର ମନ୍ତ୍ର’ ଶୁଣିଥିବା ପାରା ଯୋଡ଼ି, ଗୁମ୍ଫା ମଧ୍ୟରେ କେଉଁଠି ପାଣି ଆସୁଛି ତାହା ଆଜି ବି ରହସ୍ୟମୟ

189

ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଏକ ପ୍ରସିଦ୍ଧ ତୀର୍ଥସ୍ଥଳ ହେଉଛି ଅମରନାଥ । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାକୁ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ବର୍ଷରେ ଅଳ୍ପ କିଛି ଦିନ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ବରଫାବୃତ ଲିଙ୍ଗ ଏଠାରେ ଦେଖିବାକୁ ମିଳେ । ଚଳିତ ବର୍ଷ ୨୮ ଜୁନ ଠାରୁ ୨୬ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ଚାଲିବ । ଅମରନାଥ ଗୁମ୍ଫା କାଶ୍କୀରର ବରଫାବୃତ ପାହାଡ଼ ଅଞ୍ଚଳରେ ଅବସ୍ଥିତ ।

ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି । ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ତେବେ ପାହାଡ଼ ଭିତରେ ଶିବଙ୍କ ପ୍ରତିମୂର୍ତ୍ତି ଆର୍ବିଭାବ ହେବା ପଛରେ ଅନେକ କାହାଣୀ ରହିଛି ।ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ତେଣୁ ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଅମର ମନ୍ତ୍ର ବା ଅମରକଥା ଶୁଣିବା ପାଇଁ କାହାକୁ ଅନୁମତି ମିଳିନଥିଲା । ତେଣୁ ଭଗବାନ ଶିବ ମା’ ପାର୍ବତୀଙ୍କୁ ଅମରକଥା ଶୁଣାଇବା ସମୟରେ ସବୁକିଛି ତ୍ୟାଗ କରି ଆସିଥିଲେ । ଯେପରିକି କେହି ଅମର ମନ୍ତ୍ର ଶୁଣି ଅମର ନ ହୋଇ ଯାଉ ।

ଅମରନାଥ ଗୁମ୍ଫାରୁ ପାଖାପାଖି ୯୬ କିଲୋମିଟର ପଛକୁ ପହଲଗାମ ଭଳି ଏକ ଏଭଳି ଗ୍ରାମ ରହିଛି ଯେଉଁଠାରେ ଭଗବାନ ଶିବ ରହିବା ସହ ବିଶ୍ରାମ କରିଥିଲେ । ଅମର ମନ୍ତ୍ର ଶୁଣାଇବା ପୂର୍ବରୁ ଭଗବାନ ଶିବ ମଝି ରାସ୍ତାରେ ନନ୍ଦୀ ଷଣ୍ଢକୁ ଛାଡ଼ି ଦେଇଥିଲେ । ଏହାପରେ ଶେଷନାଗ ଝିଲ୍ଲୀ ନିକଟରେ ଗଳାରୁ ସାପ ମଧ୍ୟ ବାହାର କରି ଦେଇଥିଲେ । ପୁତ୍ର ଗଣେଶକୁ ମହାଗୁଣାସ ପାହାଡ଼ ଉପରେ ଛାଡ଼ି ଦେଇଥିଲେ । ଏହାପରେ ପଞ୍ଚ ତରଣୀ ପୁଷ୍କରଣୀ ନିକଟରେ ପହଞ୍ଚି ପାଞ୍ଚ ତତ୍ୱକୁ ମଧ୍ୟ ତ୍ୟାଗ କରି୍ଥିଲେ ।

କୁହାଯାଏ, ଯେବେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଉଥିଲେ ସେତେବେଳେ ତାଙ୍କ ବ୍ୟତୀତ ଏକ ପାରା ଯୋଡ଼ି ମଧ୍ୟ ଉକ୍ତ ଗୁମ୍ଫାରେ ବାସ କରୁଥିଲେ । ମାତା ପାର୍ବତୀଙ୍କୁ ଶିବ ଅମର ମନ୍ତ୍ର ଶୁଣାଉଥିବା ବେଳେ ପାରା ଦୁଇଟି ମଧ୍ୟ ଅମରମନ୍ତ୍ର ଶୁଣି ନେଇଥିଲେ । ଅମର ମନ୍ତ୍ର ଶୁଶିବା ପରେ ଦୁଇଟି ପାରା ସବୁଦିନ ପାଇଁ ଅମର ହୋଇଗଲେ । ଆଜି ପର୍ଯ୍ୟନ୍ତ ଏହି ଦୁଇ ପାରାଙ୍କୁ ଅମରନାଥ ଗୁମ୍ଫାରେ ଦେଖିବାକୁ ମିଳେ । ଅମରନାଥ ଗୁମ୍ଫାର ଚାରି ପାଶ୍ୱର୍ ତରଳ ବରଫରେ ଆଚ୍ଛାଦିତ । କିନ୍ତୁ ଗୁମ୍ଫା ଭି୍ତରେ ଥିବା ଶିବଲିଙ୍ଗ କଠିନ ବରଫରେ ଆର୍ବିଭାବ ହୋଇଥାନ୍ତି । ଏହା କିପରି ପାହାଡ଼ ମଧ୍ୟରେ ଆର୍ବିଭାବ ହୁଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କୁହାଯାଏ, ଅମରନାଥ ଗୁମ୍ଫାର ଆବିଷ୍କାର ଜଣେ ମୁସଲିମ୍ ବ୍ୟକ୍ତି କରିଥିଲେ । ଏହି ମୁସଲିମ ବ୍ୟକ୍ତି ଜଣଙ୍କ ନିଜର ଛେଳି ଓ ମେଣ୍ଢା ଚରାଉଥିବା ବେଳେ ଜଣେ ସାଧୁଙ୍କ ସହ ଭେଟ ହୋଇଥିଲା । ସାଧୁ ବୁଟାଙ୍କୁ କୋଇଲାରେ ଭର୍ତ୍ତି ଏକ ବ୍ୟାଗ ଉପହାର ସ୍ୱରୂପ ଦେଇଥିଲେ । ବୁଟା ଘରେ ପହଞ୍ଚି କୋଇଲା ବ୍ୟାଗ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ କୋଇଲା ଗୁଡ଼ିକ ସୁନାର ମୁଦ୍ରାରେ ପରିଣତ ହୋଇଯାଇଥିଲା । ଏହା ଦେଖିବା ପରେ ବୁଟା ଘଟଣାସ୍ଥଳକୁ ଯାଇ ସାଧୁଙ୍କୁ ଖୋଜିବା ପରେ ଗୁମ୍ଫାକୁ ପାଇଥିଲେ । ସେବେଠାରୁ ଏହି ଗୁମ୍ଫା ଏକ ତୀର୍ଥସ୍ଥାନ ଭାବେ ମାନ୍ୟତା ପାଇ ଆସିଛି ।

ଅମରନାଥ ଗୁମ୍ଫାରେ ଶିବଲିଙ୍ଗ ନିକଟରୁ ପାଣି ବୋହି ଯାଇଥାଏ । କିନ୍ତୁ ଏହି ପାଣି କେଉଁଠୁ ଆସୁଛି ତାହାର ପତ୍ତା କେହି ପାଇ ନାହାନ୍ତି । ଅମରନାଥ ଗୁମ୍ଫା ୫୦୦୦ ବର୍ଷ ପୁରୁଣା ଗୁମ୍ଫା । ଏହି ଗୁମ୍ଫାରେ ଆର୍ବିଭାବ ହେଉଥିବା ଗୁମ୍ଫାକୁ ସ୍ୱୟଂଭୁ କୁହାଯାଇଥାଏ । କାରଣ ଆପଣାଛାଏଁ ଏହି ଶିବଲିଙ୍ଗ ଆର୍ବିଭାବ ହେଉଥିବାରୁ ଏଭଳି କୁହାଯାଇଥାଏ । କାଶ୍ମୀର ସ୍ଥିତ ଅମରନାଥ ଗୁମ୍ଫାଟି ପାଖାପାଖି ୧୬୦ ଫୁଟ ଲମ୍ବା ଓ ୧୦୦ ଫୁଟ୍ ଚଉଡ଼ା । ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସାଇନ ବୋର୍ଡ଼ ଦ୍ୱାରା କରାଯାଇଥାଏ । ଏହି ବୋର୍ଡ଼ ହିଁ ଭୋଳାବାବାଙ୍କ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧା ନ ଭୋଗିବେ ତାହା ଉପରେ ନଜର ରଖିଥାନ୍ତି ।