ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅସ୍ତରଂଗରେ ପହଂଚିଲେ ସଚିବ ! ସରକାରଙ୍କ ଯୋଜନାର ବାସ୍ତବତା ନେଇ ଲୋକଙ୍କ ସହ କଲେ ଆଲୋଚନା

29

କନକ ବ୍ୟୁରୋ : ପୁରୀ ଜିଲା ଅସ୍ତରଂଗରେ ଗତକାଲି ଜଂଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର କିଛି ଗାଁ ବୁଲିଥିଲେ । ଆଉ ଗାଁ ଲୋକଙ୍କ ସହ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖରୁ ବୁଝିଥିଲେ ସରକାରୀ ଯୋଜନାର କେତେ ରୁପାୟନ ହେଉଛି ।  ସଚିବାଳୟର ଏସି ଅଫିସ ଛାଡି ଗାଁ ମୁହା ସରକାରୀ ବାବୁଙ୍କୁ ଦେଖିବାକୁ ଆଉ ନିଜର ଅଭିଯୋଗ ଜଣାଇବାକୁ ଗ୍ରାମବାସୀ ବି ତୟାର ହୋଇ ହୋଇରହିଥିଲେ । ଯେଉଁଠି ସଚିବ ସୁରେଶ ମହାପାତ୍ର ଲୋକଙ୍କ ସମସ୍ୟା ବୁଝିବାକୁ ଗାଁକୁ ଯାଇଥିଲେ ।

ଗରିବଙ୍କ ପାଇଁ ସରକାରଙ୍କ ବିଜୁ ପକାଘର ଯୋଜନା । ତେବେ ଏହି ଯୋଜନା କେମିତି ଚାଲିଛି ନିଜେ ତଦାରଖ କରଥିଲେ ସଚିବ । ଅସ୍ତରଂଗର ଓଳିହାଁ ଗାଁରେ ଘର ତିଆରି କେତେଦୂର ଆଗକୁ ବଢିଛି ସେ ନେଇ ହିତାଧିକାରୀଙ୍କ ପାଖରୁ ପଚାରିବୁଝିଥିଲେ ।ଡାକ୍ତରଖାନାରେ କେମିତି କାମ କରୁଛି ସରକାରଙ୍କ ନିରାମୟ ଯୋଜନା । ରୋଗୀ ଏହି ଯୋଜନାରେ ଔଷଧ ପାଉଛନ୍ତି ନା ନାହିଁ ତାହା ପଚାରିବୁଝିଥିଲେ ସଚିବ ।

ଏହାଛଡା ଡାକ୍ତରଖାନାରେ ଆଉ ସବୁ କଣ ସମସ୍ୟା ରହିଛି ଡାକ୍ତରଙ୍କ ପାଖରୁ ତାହା ବି ସଚିବ ପଚାରିବୁଝିଥିଲେ ।ବର୍ଷାଦିନେ ଏହି ଅଂଚଳରେ ଜଳନିଷ୍କାସନରେ ସମସ୍ୟା ହେଉଥିବାର ଲୋକ ଅଭିଯୋଗ କରିଥିଲେ । ଦେବୀ ନଦୀରେ ନିର୍ମାଣ ହୋଇଥିବା ତ୍ରୁଟିପୁର୍ଣ କଲଭର୍ଟ ନିର୍ମାଣକୁ ନେଇ ସଚିବ ନିଜର ଅସନ୍ତୋଷ ଜାହିର କରିବା ସହ ଏହାକୁ ମରାମତି କରିବାକୁ ନିର୍ଦେଶ ଦେଇଥିଲେ ।

ଶେଷରେ ସ୍ଥାନୀୟ ସରଂପଚ ଓ ଜିଲା ପରିଷଦ ସଦସ୍ୟଙ୍କ ସହ ଅଂଚଳର ବିକାଶ କିଭଳି ହୋଇପାରିବ ସେ ବାବଦରେ ଆଲୋଚନା କରିଥିଲେ । ଗାଁର ଲୋକଙ୍କ ସମସ୍ୟା କୁ କିଭଳି ସମାଧାନ କରାଯାଇପାରିବ ଏ ନେଇ ଜିଲାପାଳଙ୍କୁ ବି ପରାମର୍ଶ ଦେଇଥିଲେ ସଚିବ ।
ସଚିବଙ୍କୁ ପାଖରେ ପାଇ ଲୋକ ନିଜର ଅଭିଯୋଗ ଜଣାଇବା ସହ ଗାଁର ଧୁଳିଧୁସରିତ ପରିବେଶରେ ଆସି ସିଧାସଳଖ ସମସ୍ୟା ବୁଝିଥିବାରୁ ଲୋକ ବେଶ ଖୁସି ।