ନା ବାଦଲ ନା ବର୍ଷା । ଜାଣନ୍ତୁ କାହିଁକି ନିର୍ଦ୍ଧାରିତ ସମୟରେ କରାଯାଇଥିଲା ଏୟାରଷ୍ଟ୍ରାଇକ୍ ।

519

କନକ ବ୍ୟୁରୋ : ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟ୍ ଆତଙ୍କୀ ଶିିବିରରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ତେବେ ଏୟାରଷ୍ଟ୍ରାଇକ ବାବଦରେ ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ତଥ୍ୟ ରଖିଥିଲେ, ତାକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । ମୋଦି କହିଥିଲେ, ଏୟାରଷ୍ଟ୍ରାଇକ ସମୟରେ ଆକାଶ ମେଘାଚ୍ଛନ ରହିଥିଲା । ଯେଉଁ କାରଣରୁ ପାକିସ୍ତାନ ରାଡାରରେ ଭାରତୀୟ ଯୁଦ୍ଧ ବିମାନ ଆସିନଥିଲା । ତେବେ ମେଘୁଆ ପାଗ ଏବଂ ଏୟାରଷ୍ଟ୍ରାଇକକୁ ନେଇ ମୋଦି, ଯେଉଁ ବୟାନ୍ ରଖିଥିଲେ, ତାହା ତାଙ୍କୁ ସମାଲୋଚନାର ପରିସରକୁ ଟାଣିନେଇଥିଲା । ଆଉ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ ଏୟାରଷ୍ଟ୍ରାଇକର ସତ୍ୟତା ନେଇ ସାମ୍ନାକୁ ଆସିଛି ଆଉ ଏକ ବଡ ତଥ୍ୟ ।

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସହ ଜଡ଼ିତ ଥିବା ସୂତ୍ର ଅନୁଯାୟୀ, ଏୟାରଷ୍ଟ୍ରାଇକ୍‌ କରିବା ଯୋଜନା ବିଷୟରେ କାହାକୁ ଜଣା ନ ଥିଲା । ସେଥିପାଇଁ ଯୋଜନାରେ କୌଣସି ପରିବର୍ତ୍ତନ ବା ଏହାକୁ ବାତିଲ କରାଯିବା ସମ୍ଭବ ନଥିଲା । କେହି ଯେମିତି ଏ ବିଷୟରେ ନ ଜାଣି ପାରନ୍ତି ବା ପାକିସ୍ତାନକୁ ଯେମିତି ଏ ନେଇ ସୂଚନା ନ ମିଳେ ତାହା ଭାରତ ପାଇଁ ବଡ଼ ବିପଦ ଥିଲା । ସେଥିପାଇଁ ଏୟାର ଷ୍ଟ୍ରାଇକ୍‌କୁ ନିର୍ଦ୍ଧାରିତ ସମୟରେ ହିଁ କରାଯାଇଥିଲା । ମୋଦୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଜନୈକ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଏୟାର ଷ୍ଟ୍ରାଇକ୍‌ର କିଛି ଦିନ ପୂର୍ବରୁ ମେଘୁଆ ପାଗ କଥା ଉଠିଥିଲା । ଏଥି ପାଇଁ ଏକ୍ସପର୍ଟସମାନେ ଦିନ ବଦଳାଇବାକୁ ମଧ୍ୟ କହିଥିଲେ । କିନ୍ତୁ ଆକ୍ରମଣ ଯୋଜନା ଗୁପ୍ତ ରଖିବା ପାଇଁ ଏହାର ଦିନ ବଦଳା ଯାଇ ନଥିଲା ।