ପ୍ରୟାଗରାଜ କୁମ୍ଭମେଳାରେ ଆଜି ଦ୍ୱିତୀୟ ସାହି ସ୍ନାନ । ମୋକ୍ଷ ପ୍ରାପ୍ତି ପାଇଁ ତ୍ରିବେଣୀ ସଙ୍ଗମରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ

89

କନକ ବ୍ୟୁରୋ: ପୌଷ ପୂର୍ଣ୍ଣମୀ ଅବସରରେ ପ୍ରୟାଗରାଜ କୁମ୍ଭମେଳାରେ ଆଜି ଚାଲିଛି ଦ୍ୱିତୀୟ ସାହି ସ୍ନାନ । ପବିତ୍ର ସାହି ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ସୂର୍ଯ୍ୟ ଉଦୟ ପୂର୍ବରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା, ସରସ୍ୱତୀ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇଛନ୍ତି । ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଏହି ସ୍ଥାନରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମକର ସଂକ୍ରାନ୍ତି ପରଦିନଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ୧୩ଟି ଆଖଡାର ଲକ୍ଷ ଲକ୍ଷ ସାଧୁ ସନ୍ଥ ଏହି ଆଖଡାରେ ସାହି ସ୍ନାନ କରିବା ସହ ଚଳିତ ବର୍ଷ କିନ୍ନର ଆଖଡା ମଧ୍ୟ ସାମିଲ ହୋଇ ବୁଡ ପକାଇଛନ୍ତି । ସାଧୁ ସନ୍ଥଙ୍କ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପବିତ୍ର ମେଳାରେ ବୁଡ ପକାଉଛନ୍ତି ।

ଏହି ମେଳାରେ ପ୍ରାୟ ୧୨କୋଟି ଲୋକଙ୍କ ସମାଗମ ହେବ ବୋଲି ଉତରପ୍ରଦେଶ ସରକାର ଆକଳନ କରିଛନ୍ତି । ଏହି ବିଶାଳ ଆଧ୍ୟାତ୍ମିକ  ଏବଂ ଧାର୍ମିକ ଆୟୋଜନ ଯୋଗୁଁ ୬ଲକ୍ଷ ଲୋକଙ୍କ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ମେଳା ୫୦ଦିନ ଧରି ଚାଲିବ । ଚଳିତ କୁମ୍ଭମେଳାକୁ ୨୦୧୩ ତୁଳନାରେ ୩ଗୁଣ ଅଧିକ ବୋଲି କୁହାଯାଉଛି ।