ଯବାନଙ୍କ ବଳିଦାନର ବଦଲା କେବେ? ଆତଙ୍କବାଦୀ ଆକ୍ରମଣର ଛାତିଥରା ଚିତ୍ର, ଖିନଭିନ୍ ହୋଇ ପଡିରହିଥିଲା ସହିଦ ଯବାନଙ୍କ ମୃତ ଶରୀର

737

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ ୧୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଗାଡିର ଉପର ପାଶ୍ୱର୍ ଉଡି ଯାଇଥିବା ବେଳେ କିଛି ଯବାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଗାଡିର ବିଭିନ୍ନ ସ୍ଥାନରେ ବଡ ବଡ ଗାତ ହୋଇଯାଇଥିଲା । ଲାଗୁଥିଲା ଯେମିତି ଗାଡି ଉପରକୁ କେହି ଗୁଳିବର୍ଷଣ କରିଛି । ବିସ୍ଫୋରଣ ପରେ ପୂରା ରାସ୍ତାରେ ରକ୍ତର ଛିଟା ହିଁ ଦେଖିବାକୁ ମିଳିଥିଲା । ଏପରିକି ସ୍ଥାନେ ସ୍ଥାନେ ଗାଡିର ଭଗ୍ନାବଶେଷ ଓ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହର ଅବଶେଷ ଦେଖିବାକୁ ମିଳିଥିଲା ।
ଯେଉଁ ବସକୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିଲେ ସେହି ବସ ଗୁଡିକରେ ଯଥାକ୍ରମେ ୪୨ ଓ ୩୯ ଜଣ ଯବାନ ଥିଲେ । ସୁରକ୍ଷାବଳଙ୍କ ସୂଚନା ଅନୁଯାୟୀ, ହାଇଆଲର୍ଟ ସହ ଗାଡି ଗୁଡିକ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ବାହାରିଥିଲା । ତେବେ ଗାଡି ଗୁଡିକ ଗୁଣ୍ଡିପୋରା ନିକଟରେ ପହଞ୍ଚିବା ପରେ ହାଇୱେ ଉପରେ ଥିବା ଏକ ଆଇଇଡି ଭର୍ତ୍ତି କାର ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଆଉ ଧକ୍କା ହେବା ପରେ ବଡଧରଣର ବିସ୍ଫୋରଣ ହୋଇଥିଲା । ଆଉ ଚାହୁଁ ଚାହୁଁ ୪୪ ଜଣ ଯବାନ ଏହି ଆକ୍ରମଣରେ ସହିଦ ହୋଇଗଲେ ।

ବିସ୍ଫୋରଣ କରିଥିବା ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ।ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ରଶିଦକୁ କାଶ୍ମୀରର ନୂଆ ଆତଙ୍କବାଦୀ ମାନଙ୍କୁ ଟେନ୍ରିଂ ଦେବାର ଦାୟିତ୍ୱ ଦିଆଯାଇଥିଲା । ଜୈସ କମାଣ୍ଡର ରଶିଦ ଗାଜି ଆଇଇଡି ପ୍ରସ୍ତୁତ କରିବାରେ ମାହିର ଥିବା ବେଳେ ୯ ଡିସେମ୍ବରରେ ସେ କାଶ୍ମୀରରେ ଅନୁପ୍ରବେଶ କରିଥିଲା । ଗାଜି ଜୈଓ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଓ ବିସ୍ଫୋରଣ କରିବାର ଟ୍ରେନିଂ ଦେଉଥିଲା ।

ସେନା ଯବାନମାନଙ୍କ ଉପରେ ଆତଙ୍କବାଦୀ ମାନେ ଯେଉଁଭଳି ଭାବେ ଆକ୍ରମଣ କଲେ, ପାକିସ୍ତାନ ଓ ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ସମାନ ଢଙ୍ଗରେ ଆକ୍ରମଣ କରିଥାନ୍ତି ଆତଙ୍କବାଦୀ । ଏହାପୂର୍ବରୁ ୧୮ ସେପ୍ଟେମ୍ବର ୨୦୧୬ରେ ଉରିରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ । ଆଉ ଉରି ଠାରୁ ପୁଲୱାମାରେ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଆହୁରି ସାଂଘାତିକ ରୂପ ନେଇଛି । ଯେଉଁଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି । ଆଉ ଏହି ଘଟଣା ପରେ ତାତି ଉଠିଛି ଭାରତ । ଦେଶର ସମସ୍ତ ଜନସାଧାରଣ ଏହାକୁ ନିନ୍ଦା କରିବା ସହ ପୁଣିଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରାଯାଉ ବୋଲି ଦାବି କରିଛନ୍ତି । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଦାବି କରିଛନ୍ତି ଦେଶବାସୀ । ଆଉ ପ୍ରଧାନମନ୍ତ୍ରୀ ମଧ୍ୟ ଆଶ୍ୱସ୍ତ କରିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ।