ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ଅଚଳ ! ଗୃହ ୧୧ଟା ୪୫ ଯାଏଁ ମୁଲତବୀ

24

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ପଂଚାୟତ ନିର୍ବାଚନରେ ହିଂସାକୁ ନେଇ ବିରୋଧୀ ମୁଲତବୀ ନୋଟିସ ଆଣିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଗ୍ରହଣ ନକରିବାରୁ ବିରୋଧୀମାନେ ଛିଡା ହୋଇ ପ୍ରତିବାଦ କରିବା ସହ ହୋହାଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି । ପଂଚାୟତ ନିର୍ବାଚନ ହିଂସା ପାଇଁ ଭଭୟ ବିଜେପି-ବିଜେଡି ଦାୟୀ । ପୁଲିସ ଶାସକ ଦଳର ହାତବାରିସି ସାଜିଛି ବୋଲି ବିରୋଧି ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ।

କଂଗ୍ରେସର ମୁଲତବୀ ନୋଟିସକୁ ସମର୍ଥନ ଜଣାଇ ବିଧାନସଭାରେ ବିଜେପିର ହଟ୍ଟଗୋଳ । ବିଜେପି ବିଧାୟକମାନେ ନିର୍ବାଚନ ସମୟରେ ଉପଜୁଥିବା ଆଇନଶୃଙ୍ଖଳା ପରିସ୍ଥିତିର ଆଲୋଚନା ପାଇଁ ବାଚସ୍ପତିଙ୍କୁ ଦାବି ଜଣାଇଥିଲେ । କିନ୍ତୁ ବାଚସ୍ପତି ମୁଲତବି ନୋଟିସକୁ ଅଗ୍ରାହ୍ୟ କରବାରୁ ଗୃହରେ ହଟ୍ଟଗୋଳ କରିଥିବା କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ।

ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ହଙ୍ଗାମା କରିବା ଘଟଣାକୁ ନାପସନ୍ଦ କରିଛି ଶାସକ ଦଳ । ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ନିର୍ବାଚନ ହିଂସା ପ୍ରସଙ୍ଗରେ ଆଲୋଚନା କରିବା ନେଇ ଅଲଗା ଫୋରମ ରହିଛି । ପ୍ରଶ୍ନକାଳକୁ ବାତିଲ କରିବା ଯୁକ୍ତି ସଙ୍ଗତ ନୁହେଁ ।