ଖୋର୍ଦ୍ଧାରେ ଖୋଲିବ ନୂଆ ଏୟାରପୋର୍ଟ ! ସରିଲା ସ୍ଥାନ ଚିହ୍ନଟ, ଖୁବ ଶୀଘ୍ର ଆରମ୍ଭ ହେବ କାମ ।

33

କନକ ବ୍ୟୁରୋ : ଖୋର୍ଦ୍ଧାରେ ନିର୍ମାଣ କରାଯିବ ଦ୍ୱିତୀୟ ଏୟାରପୋର୍ଟ । ଏଥିପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଖୋର୍ଦ୍ଧା ନିକଟରେ ବିମାନବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ ଗତ ବର୍ଷ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଥିଲା । ଖୋର୍ଦ୍ଧାର କିଛି ସ୍ଥାନରେ ମଧ୍ୟ ବିମାନବନ୍ଦର ନିର୍ମାଣ ନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ । ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ ରନ ୱେ, ଏୟାରପୋର୍ଟ ସିଟି ପ୍ରଭୃତିର ଆବଶ୍ୟକତା ରହଛି । ଏଥିପାଇଁ ୨୦୦୦ ରୁ ୩୦୦୦ ଏକର ଜମି ଆବଶ୍ୟକ ଥିଲା । ତେବେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଏବଂ ଖୁବ ଶୀଘ୍ର ବିମାନବନ୍ଦର କାମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।