କପି ରୋକିବାକୁ ୧୪୪ ଧାରା । ଢ଼େଙ୍କାନାଳ ଜିଲ୍ଳାର ୪ଟି ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ କଟକଣା ଲଗାଇଲା ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ପରୀକ୍ଷା

ଇଂରାଜୀ ପରୀକ୍ଷା ଦିନ ଅଭିବାବକମାନେ ପାଚେରୀ ଡେଇଁ କପି ଯୋଗାଉଥିବା ଭିଡିଓ ହୋଇଥିଲା ଭାଇରାଲ

420

କନକ ବ୍ୟୁରୋ: କପି ରୋକିବାକୁ ୧୪୪ ଧାରା ଜାରି । ଗତ ୨୨ତାରିଖରେ ଇଂରାଜୀ ପରୀକ୍ଷା ଦିନ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ଏକାଧିକ ବିଦ୍ୟାଳୟରେ କପି ହେବା ନେଇ ଖବର ସାମନାକୁ ଆସିବା ପରେ, ଆଜି ୪ଟି ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ବିଶେଷକରି କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ଉଚ୍ଚ ବିଦ୍ୟାଳୟ ଓ ଗଡପଳାଶୁଣିର ବାପୁଜି ଉଚ୍ଚ ବିଦ୍ୟାଳୟରେ ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଇଂରାଜୀ ପରୀକ୍ଷା ଦିନ ଏହି ଦୁଇ ବିଦ୍ୟାଳୟରେ କିଛି ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ପାଚେରୀ ଡେଇଁ କପି ଯୋଗାଇଥିଲେ ।

ଏପରିକି କପି ରୋକିବାକୁ ଯାଇ ପୋଲିସ ମାଡରେ ଜଣେ ଅଭିବାବକ ଗୁରୁତର ହୋଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଓଡିଶାରେ ବିହାର ଭଳି କପି ହେବାକୁ ସହଜରେ ଗ୍ରହଣ କରିପାରିନଥିଲେ ବୁଦ୍ଦିଜୀବୀ । ଆଜି ତୃତୀୟ ଭାଷା ଅର୍ଥାତ ହିନ୍ଦୀ କିମ୍ବା ସଂସ୍କୃତରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଗତ ୨୨ତାରିଖରେ କପିକୁ ନେଇ କୁରୁକ୍ଷେତ୍ର ପାଲଟିଥିଲା ଢ଼େଙ୍କାନାଳ ଜିଲ୍ଳାର ଦୁଇଟି ପରୀକ୍ଷା କେନ୍ଦ୍ର । କପିକୁ ନେଇ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଅଭିଭାବକ । ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଏପରିକି ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ । ଫଳରେ ଘଟଣା ସ୍ଥଳରେ ଚାପା ଉତେଜନା ଦେଖାଦେବା ସହ ପୁଲିସ ମାଡ଼ରେ ଆହତ ହୋଇଥିଲେ କିଛି ଅଭିଭାବକ ।