ଦାନ ନେଇପାରିବେନି ସେବାୟତ ! ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୨୪ ଘଂଟା ଭିତରେ ନୋଟିସ ମାରିଲା ଶ୍ରୀମନ୍ଦିର ପ୍ରଶାସନ

38

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଂଟା ଭିତରେ କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତମାନେ ବଡ ଠାକୁରଙ୍କୁ ଦାନ ଆକାରରେ ଦେଉଥିବା ଅର୍ଥ ବା ସାମଗ୍ରୀକୁ ସେବାୟତ କିମ୍ବା ସେମାନଙ୍କ ସହଯୋଗୀ ଗ୍ରହଣ କରିପାରିବେ ନାହିଁ ବୋଲି ମନ୍ଦିର କାନ୍ଥରେ ନୋଟିସ ଲଗାଇ ତାଗିଦ କରିଛି । ଯାହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଶ୍ୱସ୍ତ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ଆଉ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ସେବାୟତମାନେ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶକୁ ତରବରିଆ ଭାବେ କାର୍ଯ୍ୟକାରୀ କରାଯାଇଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ କୋର୍ଟ କଣ କହିଛନ୍ତି ତାକୁ ଠିକଭାବେ ତର୍ଜମା କରାଯାଉ । ଏଥିସହ ଦାନ ଓ ଦକ୍ଷିଣା ଭିତରେ ଫରକ ବୁଝାଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ।


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର କାନ୍ଥରେ ନୋଟିସ । ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆସିବାର ୨୪ ଘଂଟା ଭିତରେ ଏହାକୁ କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ନୋଟିସ ଲଗାଇ ଭକ୍ତଙ୍କଠାରୁ କୌଣସି ଦାନ ଅର୍ଥ କିମ୍ବା ବସ୍ତୁ ସହ ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି ଗ୍ରହଣ କରିବାକୁ ସେବାୟତ, ସେମାନଙ୍କ ସହଯୋଗୀ ଓ କର୍ମଚାରୀମାନଙ୍କୁ ତାଗିଦ କରିଛି । ଏଥିସହ କେବଳ ହୁଣ୍ଡି ବା ଦାନ ବାକ୍ସରେ ସେମାନଙ୍କ ଦାନ ଦେଇ ରସିଦ ଗ୍ରହଣ କରିବା ପାଇଁ ଭକ୍ତଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନର ଏହି ପଦକ୍ଷେପ ପ୍ରତିଦିନ ପୁରୀ ଶ୍ରୀମନ୍ଦରକୁ ଆସୁଥିବା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ଆଣିଦେଇଛି ।

ଦୀର୍ଘଦିନ ହେଲା ଶ୍ରୀମନ୍ଦିରରେ ସେବାୟତଙ୍କ ବ୍ୟବହାରକୁ ନେଇ ଅନେକ ଅଭିଯୋଗ ହୋଇଆସୁଛି । ଦାନ ଅର୍ଥକୁ ନେଇ ସେବାୟତମାନେ ଭକ୍ତଙ୍କ ସହ ମାଡପିଟ ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟାକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ ।

puri
Source:google.com

ପ୍ରଶାସନର ଏହି ପଦକ୍ଷେପକୁ ଗ୍ରହଣ କରିପାରି ନାହାନ୍ତି ସେବାୟତ । କୋର୍ଟଙ୍କ ନିର୍ଦ୍ଦେଶକୁ ଠିକରେ ତର୍ଜମା ନକରି ତରବରିଆ ଭାବେ ଲାଗୁ କରାଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଦାନ ଓ ଦକ୍ଷିଣା ଭିତରେ ଫରକ ଦର୍ଶାଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳା ଫେରାଇ ଆଣବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁସବୁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ତର୍ଜମା କରାଯାଉଛି । ଏବଂ ଏଗୁଡିକୁ କିଭଳି ଶୀଘ୍ର କାର୍ଯ୍ୟକାରୀ କରଯିବ ସେଦିଗରେ ପଦକ୍ଷେପ ନେବେ ସରକାର ।

ଏହାରି ଭିତରେ ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏତେବଡ ଯାତ୍ରା ପରିଚାଳନାରେ ସେବାୟତମାନଙ୍କର ପ୍ରମୁଖ ଭୂମିକା ରହିଛି । ତେଣୁ ସମସ୍ତଙ୍କୁ ସାଙ୍ଗରେ ନେଇ ରଥଯାତ୍ରା କିଭଳି ସୁରୁଖୁରୁରେ ସଂପାଦନ ହେବ ତାହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।