ଜଗନ୍ନାଥ ମନ୍ଦିରରେ ରହିବନି ଦାନ ଥାଳି ! ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଭକ୍ତଙ୍କ ପାଇଁ ହେବ ବିଶ୍ରାମାଗାର

37

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତି । ଏଣିକି ମନ୍ଦିର ଭିତରେ ଦାନ ଓ ଦକ୍ଷିଣା ନେଇ ପାରିବେନି ସେବାୟତ । ସବୁଠୁ ବଡ କଥା ହେଲା, ମନ୍ଦିର ମଧ୍ୟରେ ଥାଳି ଓ ଦାନ ପାତ୍ର ରହିବ ନାହିଁ ।ଶ୍ରୀମନ୍ଦିର ମଧ୍ୟରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ହାତରେ ରହିବ । ଏହାଛଡା ସେବାୟତଙ୍କ ଦାନ ଓ ଦକ୍ଷିଣା ଉପରେ ରୋକ ଲଗାଇବାକୁ ୪ ଦ୍ୱାରରେ ୪ଟି ହୁଣ୍ଡି ଲଗାଯିବ । ଏସବୁକୁ ଅନୁଧ୍ୟାନ କରିବାକୁ ଆମିକସ କ୍ୟୁରି ପ୍ରତି ୨ ମାସରେ ଶ୍ରୀମନ୍ଦିର ଆସିବେ ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଅନ୍ୟ କେତୋଟି ଦିଗ ଉପରେ ଜୋର ଦିଆଯାଇଛି । ସେବାୟତ ମାନଙ୍କୁ ପରିଚୟ ପତ୍ର ଦିଆଯିବ । ସେହିଭଳି ଧୂଳିଆ ସେବାୟତ ମାନଙ୍କୁ ଅନ୍ୟ ପରିଚୟ ପତ୍ର ଦିଆଯିବ । ଏହଛଡା ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏହାଛଡା ମେଘନାଦ ପାଚେରୀ ଠାରୁ ୫୦ ଫୁଟ୍ ମଧ୍ୟରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତ ମାନଙ୍କ ପାଇଁ ବିଶ୍ରାମ ସ୍ଥଳ ରହିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ବେଶରେ ପହଂଚିଥିଲେ । ଏହାସହ ଗତକାଲି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ତେବେ ଆଜି ଗଜପତି ମହାରାଜଙ୍କୁ ଭେଟି ଶ୍ରୀମନ୍ଦିରରେ ସଂସ୍କାର ପାଇଁ ବିଷଦ ଭାବେ ଆଲୋଚନା କରିବା ପରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ରଥଯାତ୍ରା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଭକ୍ତମାନେ ବଡ ଠାକୁରଙ୍କୁ ଦାନ ଆକାରରେ ଦେଉଥିବା ଅର୍ଥ ବା ସାମଗ୍ରୀକୁ ସେବାୟତ କିମ୍ବା ସେମାନଙ୍କ ସହଯୋଗୀ ଗ୍ରହଣ କରିପାରିବେ ନାହିଁ ବୋଲି ମନ୍ଦିର କାନ୍ଥରେ ନୋଟିସ ଲଗାଇ ତାଗିଦ କରିଥିଲା ମନ୍ଦିର ପ୍ରଶାସନ । । ସେତେବେଳେ ପ୍ରଶାସନର ଏଭଳି ପଦକ୍ଷେପକୁ ଗ୍ରହଣ କରିପାରିନଥିଲେ ସେବାୟତ । କୋର୍ଟଙ୍କ ନିର୍ଦ୍ଦେଶକୁ ଠିକରେ ତର୍ଜମା ନକରି ତରବରିଆ ଭାବେ ଲାଗୁ କରାଯାଇଥିବା ଅଭିଯୋଗ କରିଥିଲେ ।