ସିସୋର ଚିଟଫଣ୍ଡ ଷଡଯନ୍ତ୍ରର ସୁତ୍ରଧର ବାହାରିଲେ, ସହାୟତା କରିଥିବା ବ୍ୟକ୍ତିଙ୍କ ବଢିବ କି ଅଡୁଆ ?

23

କନକ ବ୍ୟୁରୋ : ଜେଲରୁ ବାହାରିଛନ୍ତି ସିସୋର ଚିଟଫଣ୍ଡ ମହାଠକେଇର ମୁଖ୍ୟ ଖଳନାୟକ ପ୍ରଶାନ୍ତ ଦାସ । ହାଇକୋର୍ଟରୁ ଆଜି ଜାମିନ ପାଇ ଝାରପଡା ଜେଲରୁ ମୁକୁଳିଛନ୍ତି ପ୍ରଶାନ୍ତ । ତେବେ ପ୍ରଶାନ୍ତ ଜେଲରୁ ବାହାରିବା ପରେ କିଛି ଲୋକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ଏବେ ସେହି ଚେହେରାମାନଙ୍କୁ ନେଇ ପୁଣି ଚର୍ଚ୍ଚା ଜୋରଧରିଛି, ଯେଉଁ ନେତା ଓ ଅଫିସରମାନେ ସିସୋର ଠକେଇର ଚକ୍ରବ୍ୟୁହରେ ଏବେବି ଛନ୍ଦି ହୋଇ ରହିଛନ୍ତି । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଜେଲରୁ ବାହାରିବା ପରେ କିଛି ପ୍ରଭାବଶାଳୀ ଲୋକଙ୍କ ପାଇଁ ସମସ୍ୟା ବଢ଼ିପାରେ ।

chit fundସିସୋର ଠକେଇର ଚକ୍ରବ୍ୟୂହ ।ସଂଦେହ ଘେରରେ ନେତା ଓ ଅଫିସର । ଜାମିନ୍ ପାଇ ଜେଲରୁ ମୁକୁଳିଲେ ଚିଟଫଣ୍ଡ କେଳେଙ୍କରୀର ଖଳନାୟକ ପ୍ରଶାନ୍ତ ଦାଶ । ଏବେ ପ୍ରଶ୍ନ ଉଠୁଛି, କ’ଣ ହେବ ସିସୋର ଠକେଇରେ ସିବିଆଇର ସଂଦେହ ଘେରକୁ ଆସିଥିବା ନେତା, ଅଫିସର ଓ ଦଲାଲ୍ଙ୍କ ଭାଗ୍ୟ ।ଚିଟଫଣ୍ଡ ମାୟାରେ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେବା ପାଇଁ ପ୍ରଶାନ୍ତ ଦାଶ ଯେଉଁ ଚକ୍ରବ୍ୟୂହ ରଚନା କରିଥିଲେ, ସେଥିରେ ତାଙ୍କ ସହ ସାମିଲ ଥିଲେ ଅନେକ ନେତା ଓ ବଡ଼ ବଡ଼ ସରକାରୀ ବାବୁ । ସେମାନଙ୍କ ମଧ୍ୟରୁ ଅନେକ ସାମନା କରିଥିଲେ ସିବିଆଇ ଜେରା ।

କେମିତି ଚାଲିଥିଲା ପ୍ରଶାନ୍ତଙ୍କ ଚିଟଫଣ୍ଡ ସଂସ୍ଥା :
-ଲୋକଙ୍କୁ ଠକିବା ପାଇଁ ସରକାରୀ କଳକୁ ବ୍ୟବହାର କରିଥିଲେ ପ୍ରଶାନ୍ତ ଦାଶ । ବିଭିନ୍ନ ପ୍ରକଳ୍ପ ପାଇଁ ସହାୟତାର ହାତ ବଢାଇଥିଲେ କ୍ଷମତା ବଳୟରେ ଥିବା ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ।
– ସିସୋର ପର୍ଯ୍ୟଟନ ପ୍ରକଳ୍ପକୁ ତକ୍ରାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସହାୟତା ମିଳିଥିବା ଅଭିଯୋଗ ହୋଇଥିଲା । ଦେବୀ ମିଶ୍ରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଏ ନେଇ ପଚରାଉଚରା କରିଥିଲା ସିବିଆଇ ।
– ଆଉ ଯେତେବେଳେ ନବୀନ ନିବାସର କର୍ମଚାରୀ ସରୋଜ ସାହୁଙ୍କ ନିକଟରେ ସିବିଆଇ ହାତ ପହଁଚିଥିଲା । ସେତେବେଳେ ପୂରା ବ୍ୟବସ୍ଥାରେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଥିଲା । ସିବିଆଇ ପ୍ରଶ୍ନବାଣର ସାମନା କରିଥିଲେ ସରୋଜ ।
-ତେବେ ସିସୋର ତଦନ୍ତ ବେଳେ ଶୁଭଙ୍କରଙ୍କ ଡାଏରୀ ଯେତେବେଳେ ସାମନାକୁ ଆସିଲା, ସେତେବେଳେ ବରିଷ୍ଠ ପୁଲିସ ବାବୁଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ଲୋକ ସିବିଆଇ ସ୍କାନରକୁ ଆସିଗଲେ ।
-ଅଭିଯୋଗ ହେଲା ପ୍ରଶାସନିକ କଳ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ସିସୋର ପାଇଁ ଦଲାଲି କରୁଥିଲେ ଶୁଭଙ୍କର । ଶୁଭଙ୍କରଙ୍କୁ ଗିରଫ କରିବା ସହ ତାଠାରୁ ମିଳିଥିବା ସୂଚନା ଅନୁଯାୟୀ ଚଢାଉ ଜାରି ରଖିଲା ସିବିଆଇ । ଆଇପିଏସ ଅଧିକାରୀ ସତୀଶ ଗଜଭିୟେ, ରାଜେଶ କୁମାରଙ୍କୁ ଜେରା କଲା ସିବିଆଇ । ଆଉ ଜଣେ ଅଧିକାରୀ ମଧ୍ୟ ସଂଦେହ ଘେରକୁ ଆସିଥିଲେ ।
– ସେପଟେ ପ୍ରଶାନ୍ତ ଦାଶଙ୍କ ସହ ଏକ ଜମି ଡିଲରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଭୂମିକାକୁ ପ୍ରଶ୍ନ ଉଠିଲା । ଟଙ୍କା ଦେଣନେଣ ନେଇ ପ୍ରଭାତ ଯାହା ସଫେଇ ରଖିଲେ ତାକୁ ଗ୍ରହଣ କଲା ନାହିଁ ସିବିଆଇ । ଶେଷରେ ଗିରଫ ହେଲେ ପ୍ରଭାତ ।
ଏତିକିରେ କଥା ସରି ଯାଇନାହିଁ ଆହୁରି ଅନେକ ରହିଛନ୍ତି ସିବିଆଇ ସନ୍ଦେହରେ । ସିବିଆଇ ସେମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଥିବା ବେଳେ ଜେଲରୁ ମୁକୁଳିଛନ୍ତି ମୁଖ୍ୟ ଖଳନାୟକ ।