ଅପରେସନ୍ ଡେରା ସର୍ଚ୍ଚ ! ପଦାକୁ ଆସିବ ବିବାଦୀୟ ବାବା ରାମରହିମ୍ ଆଶ୍ରମର ଗୁମର, କଂକାଳ ଖୋଜିବ ଜେସିବି

44

କନକ ବ୍ୟୁରୋ : ହରିୟାଣାର ସିରସା ସ୍ଥିତ ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ । ସର୍ଚ୍ଚ ଅପରେସନରେ ଅର୍ଦ୍ଧ ସୈନିକ ବଳ ଓ ପୋଲିସର ୫ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ଡେରା ମୁଖ୍ୟାଳୟ ପରିସରରେ ବହୁ ଲୋକଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ହରିୟାଣା ପୋଲିସ ମାଟି ଖୋଲିବା ପାଇଁ ଜେସିବି ମେସିନର ସହାୟତା ମଧ୍ୟ ନେଉଛି । ୭ଶହ ଏକର ଜମିରେ ଅବସ୍ଥିତ ଅଛି ଡେରା ସଚ୍ଚା ସୌଦା । ଏହାର ସର୍ଚ୍ଚ ଅପରେସନ ପାଇଁ ପ୍ରାୟ ୫ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ram rahimସର୍ଚ୍ଚ ଅପରେସନର ଭିଡିଓଗ୍ରାଫି କରାଯିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । ସର୍ଚ୍ଚ ଅପରେସନ ପାଇଁ ପୁଲିସ ଛାଉଣୀରେ ପରିଣତ ହୋଇଛି ସିରସା । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତନ୍ନ ତନ୍ନ କରି ଗାଡି ମଟର ଯାଂଚ କରୁଛି ପୁଲିସ । ସବୁ ପ୍ରକାର ପରିସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ସୁରକ୍ଷାକର୍ମୀ । ଏହାଛଡା ବାବାଙ୍କ ଭକ୍ତ କାଳେ କୌଣସି ଅଘଟଣ ଘଟାଇବେ, ସେହି ଆଶଙ୍କାରେ ବାଜେକା ନାକା ଓ ସତନାମ୍ ଚୌକରେ କର୍ଫ୍ୟୁ ଜାରି କରାଯାଇଛି । ପୋଲିସ ଓ ଯବାନକୁ ଅଲର୍ଟ କରାଯାଇଛି । ପଂଜାବ-ହରିଆଣା ହାଇକୋର୍ଟଙ୍କ ନିଷ୍ପତି ପରେ ଆଜି ତଲାସି ଅଭିଯାନ କରାଯାଇଛି । ହାଇକୋର୍ଟ ଦ୍ୱାରା ନିଯୁକ୍ତ କମିସନର ତଥା ପୂର୍ବତନ ବିଚାରପତି କେଏସ ପୱାରଙ୍କ ତତ୍ୱାବଧାନରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ram-rahimସୂଚନାଯୋଗ୍ୟ ଗୁରମିତ ବାବା ରାମ ରହିମଙ୍କ ବିରୋଧରେ ମୁହଁ ଖୋଲୁଥିବା ଲୋକଙ୍କୁ ହତ୍ୟା କରାଯାଇ ଡେରା ପରିସରରେ ପୋତି ଦିଆଯାଉଥିବା ଅଭିଯୋଗ ରହିଛି । ଡେରାର ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ ଏପରି ଅନେକ ଲୋକଙ୍କୁ ମାରି ପୋତି ଦିଆଯାଇଥିବା ନେଇ ଖୋଳତାଡ କରାଯାଉଛି । ଏଥିପାଇଁ ଜେସିବି ମେସିନର ସହାୟତା ମଧ୍ୟ ନିଆଯାଉଛି । ଏହି ଜେସିବି ମେସିନ ଦ୍ୱାରା ଡେରା ପରିସରରେ ମାଟି ଖୋଳି ଏହି ଅଭିଯୋଗର ସତ୍ୟାସତ୍ୟ ଯାଂଚ କରୁଛି ପୁଲିସ । ଏହାରି ମଧ୍ୟରେ ଡେରା ପକ୍ଷରୁ ପ୍ରକାଶିତ ଖବରକାଗଜରେ ଏନେଇ ସଫେଇ ଦିଆଯାଇଛି । ବାବାଙ୍କ ଅନୁଗାମୀମାନଙ୍କ ମୃତ୍ୟୁ ପରେ ତାଙ୍କୁ ଡେରା ପରିସରରେ ପୋତି ଦିଆଯାଉଥିବା ଏହି ଖବରକାଗଜରେ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ ପରିବେଶ ପ୍ରଦୂଷଣ ଯୋଗୁଁ ନଦୀରେ ଅସ୍ଥି ବିସର୍ଜନ କରିବା ପାଇଁ ବାବା ବାରଣ କରୁଥିଲେ ବୋଲି ଖବରକାଗଜ ପ୍ରକାଶ କରିଛି ।