କୂଳ ଲଂଘୁଛି ବଙ୍ଗୋପସାଗର । ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ର। ରାଜନଗରର ହବାଲିଖଟି ଆଡ଼କୁ ମାଡ଼ି ଆସୁଛି ଦରିଆ

635

କନକ ବ୍ୟୁରୋ: କୂଳ ଲଂଘୁଛି ବଙ୍ଗୋପସାଗର । ସମୁଦ୍ର ଦିନକୁ ଦିନ ଭୟଙ୍କର ହେଉଛି । ବାତ୍ୟା ଫୋନି ସମୟରେ ସମୁଦ୍ର ଜୁଆର ତାଣ୍ଡବ କରି ବେଳାଭୂମୀ ନିକଟରୁ ଶହଶହ ଗଛ ଉପାଡି ଭସାଇ ନେବା ସହ ବାଲିମେଦ ଓ ମାଟିକୁ ତାଡି ନେଇଛି । ଯାହାର ଭୟଙ୍କର ଚିତ୍ର କେନ୍ଦ୍ରାପଡା ରାଜନଗର ନିକଟ ହବାଲିଖଟି ନିକଟରେ ଦେଖିବାକୁ ମିଳେ । ସମୁଦ୍ର ଭିତରକନିକା ଜଙ୍ଗଲ ଭିତରକୁ ମାଡି ଯାଇଛି, ଯାହାକୁ ଦେଖିଲେ ଲୁଣାଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି ।

କେନ୍ଦ୍ରାପଡାର ଭିତରକନିକା ଭଳି ପ୍ରାକୃତିକ ସୌନ୍ଦଯ୍ୟରେ ଭରା ଆଉ ଏକ ପର୍ଯ୍ୟଟନସ୍ଥଳୀ ହବାଳିଖଟି । ଭିତରକନିକାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାରେ ରାତ୍ରୀ ଯାପନ କରିବା ସହ ସମୁଦ୍ର୍ରରେ ଗାଧୋଇବାର ମଜ୍ଜା ନିଅନ୍ତି । କେବଳ ଏତିକି ନୁହେଁ ଏଠାରେ ଥିବା ଲୁଣା ଜଙ୍ଗଲରେ ବୁଲିବା ବେଳେ ହରିଣୀ, ସମ୍ବର ସହ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିଥାନ୍ତି । ଏହାକୁ ନଜରରେ ରଖି ଏଠାରେ ଅତ୍ୟାଧୁନିକ କଟେଜ ନିର୍ମାଣ କରାଯାଇଛି । ହେଲେ ଜଳବାୟୁ ପରିବର୍ତନ ଓ ସମୁଦ୍ରର ଗତିପଥ ପରିବର୍ତନ ଯୋଗୁଁ ଏହା ଆଜି ଧ୍ୱଂସାଭିମୁଖୀ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୨୦୦୦ରେ ଆସିଥିବା ସୁନାମୀ ପରଠାରୁ ରାଜନଗର ପେଣ୍ଟ ଠାରେ ବଙ୍ଗୋପସାଗର ଜନବସତି ମୁହାଁ ହୋଇଛି । ୧୯ ବର୍ଷ ଭିତରେ ସମୁଦ୍ର ୩ କିଲୋମିଟର ବାଲିପଠାରୁ ଗିଳିଛି । ଆଉ ଏବେ ରାଜନଗରର ହବାଲିଖଟି ଆଡ଼କୁ ମାଡ଼ି ଆସୁଛି ଦରିଆ । ଜୁଆର ମାଡ଼ରେ ଏଠାରେ ଥିବା କଟେଜ ଭାଙ୍ଗିରୁଜି ଯାଇଛି । କେବଳ ଏତିକି ନୁହେଁ ହବାଲିଖଟିକୁ ସୁରକ୍ଷା ଦେଉଥିବା ଲୁଣା ଜଙ୍ଗଲ ଓ ବିଲୁପ୍ତ ପ୍ରାୟ ହେନ୍ତାଳ ବଣ ବି କ୍ଷତିଗ୍ରସ୍ତ ହୋଇଛି । ବର୍ତମାନର ସ୍ଥିତି ଏଭଳି ହୋଇଛି ଯେ, ଏଠାକୁ ଆସିବା ପାଇଁ ପର୍ଯ୍ୟଟକ ଭୟ କରୁଛନ୍ତି । ତେବେ ତୁରନ୍ତ ଏହି ପର୍ଯ୍ୟଟନସ୍ଥଳିର ସ୍ଥିତି ପ୍ରଶାସନ ଉପରେ ନଜର ଦେବାକୁ ଦାବି ହୋଇଛି ।