ବଦଳିଲେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା : ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଂଚଳ ଆଇଜି ଅଫିସକୁ ବଦଳି

27

କନକ ବ୍ୟୁରୋ : ବଦଳିଲେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିବା ଘଟଣାରେ ସଂପୃକ୍ତ ଯୁବକଙ୍କୁ ବିଜେପିର ବୋଲି କହି ବିବାଦରେ ଥିଲେ ଲକ୍ଷ୍ମୀ ନାରାୟଣ ପଣ୍ଡା । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ବଦଳି କରାଯାଇଛି । ଉତ୍ତରାଂଚଳ ଆଇଜିଙ୍କ ସମ୍ବଲପୁର କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ନେଇ ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିବା ନେଇ ଯୁବକ ଜଣକୁ ତିନି ଜଣ ଉସୁକାଇଥିବା ନେଇ ସେ ପୋଲିସ ପାଖରେ ବୟାନ ଦେଇଥିବା କଥା କହିଥିଲେ ଏସଡିପିଓ । ବିନା ତଦନ୍ତରେ ଏସଡିପିଓ କେମିତି ଏହା କହିଲେ ବୋଲି ବିଜେପି ପ୍ରତିବାଦ କରିଥିଲା । ଏହାପରେ ତାଙ୍କୁ ବଦଳି କରାଯାଇଛି । କ୍ଷୀରସାଗର ନାୟକଙ୍କୁ ନୂଆ ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ଆସନ୍ତା ୨୪ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ପଡିବ ଭୋଟ । ଅବାଧ ଓ ମୁକ୍ତ ଉପନିର୍ବାଚନ ପାଇଁ ବରଗଡ ଜିଲ୍ଲାପାଳ ଜାମିନ ଷଡଙ୍ଗୀ ଓ ଏସପି ଜୟନାରାୟଣ ପଙ୍କଜଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍, ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା ଏହି ଟିମ୍ରେ ସାମିଲ ହୋଇଛନ୍ତି । ଏହାସହ ବିଜେପୁରରେ ଆଜି ପ୍ରଚାରର ଶେଷ ଦିନ । ଭୋଟ ଗ୍ରହଣର ୩୬ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାରୁ ଆଜି ସଂଧ୍ୟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଶେଷ ଦିନରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ କସରତ ଚଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଆଜି କୌଣସି ସଭା କି ରାଲିର ଆୟୋଜନ କରାଯାଇନାହିଁ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ଜିତିବା ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଆଉ ସେଥିପାଇଁ ପ୍ରାୟ ୨ ସପ୍ତାହ ହେଲା ବିଜେପୁରରେ ଡେରା ପକାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ଅନେକ ଛାମୁଆ ନେତା । ବିଜେଡି ପାଇଁ ପ୍ରଚାର କରିଥିଲେ ଡଜନେ ମନ୍ତ୍ରୀ, ୫୦ରୁ ଅଧିକ ବିଧାୟକ ଓ ଶତାଧିକ ଦଳୀୟ ନେତା । ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ବି ପ୍ରଚାରର ମଙ୍ଗ ଧରିଥିଲେ ମୋଦି କ୍ୟାବିନେଟର ଦୁଇ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ୬ଜଣ କେନ୍ଦ୍ରମନ୍ତ୍ରୀ । ତାରକା ପ୍ରଚାରରେ ବି କେହି କାହାରିକୁ କମ ନଥିଲେ । କଂଗ୍ରେସ ବି ଛାମୁଆ ନେତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଛି ।