ଏସି ରୁମରୁ କାଦୁଅ ପଚ ପଚ ଚାଷ କ୍ଷେତକୁ ଯାତ୍ରା । ଆମେରିକାରେ ଉଚ୍ଚ ଦରମାର ଚାକିରି ଛାଡି ଚାଷୀ ବନିଲେ ବୈଜ୍ଞାନିକ

69

ବୈଜ୍ଞାନିକରୁ ସଫଳ ଚାଷୀର ହେବାର ଯାତ୍ରା । ଏସି ରୁମରୁ କାଦୁଅ ପଚ ପଚ ଚାଷ କ୍ଷେତକୁ ଯାତ୍ରା । ହଁ ଆଜ୍ଞା ଆମେ କହୁଛୁ ଏଭଳି ଜଣେ ବୈଜ୍ଞାନିକଙ୍କ କଥା ଯେ, ଆମେରିକାରରେ ଉଚ୍ଚ ବେତନର ଦରମା ଛାଡି ଚାଷ କରିବାକୁ ଗାଁକୁ ଚାଲି ଆସିଛନ୍ତି । ଗୋଟିଏ ପଟେ ଆଜିର ଯୁବପିଢୀ ଚାକିରି ଅନ୍ୱେଷଣରେ ବିଦେଶ ଚାଲି ଯାଉଥିବା ବେଳେ ଏହି ବୈଜ୍ଞାନିକ ଜଣକ ଚାକିରି ଛାଡି ଚାଷ କରିବାକୁ ଗାଁ ଆସି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଆଉ ଏହି ବୈଜ୍ଞାନିକ ଜଣକ ହେଉଛନ୍ତି ଡକ୍ଟର ହରିନାଥ ।

ଡିଆରଡିଓରେ ୧୨ ବର୍ଷ ଧରି କାମ କରୁଥିବା ହରିନାଥ ୨୦୦୫ରେ ଆମେରିକା ଚାଲିଯାଇଥିଲେ । ସେଠାରେ ଅର୍ନ୍ତଜାତୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନିରେ ଗବେଷକ ଭାବେ କାମ ଆରମ୍ଭ କଲେ । ତେବେ ସେଠାରେ କିଛି ଦିନ କାମ କରିବା ପରେ ନିଜେ ଅନୁଭବ କଲେ ଯେ, ସେ କରୁଥିବା ଗବେଷଣା ସାଧାରଣ ଲୋକଙ୍କ କାମରେ ଆସୁନାହିଁ । ଏଥିରେ କେବଳ କମ୍ପାନିର ହିଁ ଲାଭ ହେଉଛି । ବାସ୍ ଏହା ଅନୁଭବ କରିବା ପରେ ନୂଆ ଜୀବନ ଆରମ୍ଭ କରିବାକୁ ସ୍ଥିର କଲେ ହରିନାଥ । ଆଉ ଚାକିରି ଛାଡି ଚାଲି ଆସିଲେ ପୁଣିଥରେ ଭାରତ ମାଟିକୁ ।

ଏହାଛଡା ଆଉ ଏକ ଘଟଣା ମଧ୍ୟ ତାଙ୍କୁ ବାଧ୍ୟ କରିଥିଲା ଚାକିରି ଛାଡିବାକୁ । ଯେଉଁ ସମୟରେ ହରିନାଥଙ୍କ ମା’ ଅସୁସ୍ଥ ହୋଇଥିଲେ ସେହି ସମୟରେ ଡାକ୍ତର ତାଙ୍କୁ ପେନ କିଲର ଖାଇବାକୁ ପରାମର୍ଶ ଦେଇଥିଲେ । ଫଳରେ ସେ ପରବର୍ତ୍ତୀ ସମୟରେ ଅର୍ଶ ରୋଗରେ ପୀଡିତ ହୋଇଥିଲେ । ନିଜେ ଔଷଧ ପ୍ରସ୍ତୁତ କରୁଥିଲେ ମଧ୍ୟ ମା’ଙ୍କ ରୋଗକୁ ଭଲ କରିପାରୁନଥିବାରୁ ବେଶ ମନଦୁଃଖ କରିଥିଲେ ହରିନାଥ । ତେଣୁ ମା’ଙ୍କର ଚିକିତ୍ସା ପାଇଁ କିଛିଦିନ ଗାଁକୁ ଫେରିଆସିଥିଲେ ହରିନାଥ । ଆଉ ଗାଁରେ ପହଞ୍ଚିବା ପରେ ହରିନାଥ ଚାକିରି ନକରି ଅର୍ଗାନିକ ଚାଷ କରିବାକୁ ନିଷ୍ପତି ନେଇଥିଲେ ।

ଅର୍ଗାନିକ ଚାଷ ପାଇଁ ଲଣ୍ଡନରୁ ଦୁଇ ବର୍ଷ ଅର୍ଗାନିକ ଚାଷ ଉପରେ ଗବେଷଣା କରିବା ପରେ ନିଜ ଗାଁ ତାମିଲନାଡୁର ପେନଗ୍ରାମକୁ ଫେରିଥିଲେ ହରିନାଥ । ଆଉ ଜୈବିକ ଉପାୟରେ ଆରମ୍ଭ କରିଥିଲେ ଚାଷ । ସାଧାରଣ ଚାଷୀଙ୍କ ପରି ମୁଣ୍ଡରେ ଗାମୁଛା ଓ ଦେହରେ ଧଳା ରଙ୍ଗର ବାନିୟନ ପିନ୍ଧି ଚାଷ କ୍ଷେତକୁ ଓହ୍ଲାଇଥାନ୍ତି ହରିନାଥ । ଆଉ ଚାଷ କ୍ଷେତରୁ ଫେରିବା ବେଳକୁ ଦେହ ସାରା କାଦୁଅ ମାଟି ଲାଗିଥାଏ । ତେବେ ଏହି କାମ ତାଙ୍କୁ ବେଶ ଭଲ ଲାଗୁଛି ବୋଲି କହିଛନ୍ତି ହରିନାଥ । ଅର୍ଗାନିକ ଚାଷ ସହ ଆୟୁବୈଦିକ ମେଡିସିନକୁ ପ୍ରମୋଟ କରୁଛନ୍ତି ହରିନାଥ ।