ବ୍ୟବସାୟିକ ରାଜଧାନୀ ମୁମ୍ବାଇର ହାଲ ବେହାଲ ! ମଙ୍ଗଳବାର ଅପରାହ୍ନରୁ ଜାରି ରହିଛି ବର୍ଷା,ସହରର ଅନେକ ସ୍ଥାନ ଜଳମଗ୍ନ

41

କନକ ବ୍ୟୁରୋ : ପ୍ରବଳ ବର୍ଷା ଫଳରେ ମୁମ୍ବାଇରେ ଆଜି ସ୍କୁଲ, କଲେଜ ବନ୍ଦ । ମଙ୍ଗଳବାର ମୁମ୍ବାଇ ସହରର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ଆଗାମୀ ଦୁଇଦିନ ଯାଏଁ ଏଭଳି ପାଗ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଥିବା ଟ୍ୱିଟ କରିଛନ୍ତି ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବିନୋଦ ତାୱଡେ । ମୁମ୍ବାଇ ମେଟ୍ରୋ ପଲିଟାନ ରିଜିଅନରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ବିଭାଗ ।

ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ୪୦ରୁ ୧୩୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । କୋଲାବା, ଚର୍ଚ୍ଚଗେଟ୍, ସିଏସଟି, ଦାଦର, ୱର୍ଲି, ବାନ୍ଦ୍ରା, ସାନ୍ତାକ୍ରୁଜ, ଭିଲେପାର୍ଲେ, ଅନ୍ଧରୀ ଓ ବୋରିବଲି ଅଂଚଳରେ ସର୍ବାଧିକ ବର୍ଷା ହୋଇଛି । ମଙ୍ଗଳବାର ଇପରାହ୍ନରୁ ବର୍ଷା ଲାଗିରହିଥିବାରୁ ପୁରା ପରିସ୍ଥିତି ଉପରେ ସତର୍କ ନଜର ରଖିଛି ବିଏମସି । ଆଗାମୀ ୨ଦିନ ଯାଏଁ ମହାନଗର ନିଗମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ଏନଡିଆରଏଫ, ଅଗ୍ନୀଶମ ଓ ନୌସେନାକୁ ସତର୍କ କରାଯାଇଛି ।