ମକର ପାଇଁ ସବୁ ବନ୍ଦ । ଆଜି ମକର ସଂକ୍ରାନ୍ତି ଅବସରରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଏବଂ ଶିକ୍ଷାନୁଷ୍ଠାନ

320

କନକ ବ୍ୟୁରୋ: ଆଜି ରାଜ୍ୟର ସମସ୍ତ ସ୍କୁଲ,କଲେଜ ଏବଂ ବ୍ୟାଙ୍କ ବନ୍ଦ ରହିବ । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଛୁଟି ଘୋଷଣା କରିବା ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାପୂର୍ବରୁ ମକର ସଂକ୍ରାନ୍ତି ପାଇଁ ବୁଧବାର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା । ମକର ସଂକ୍ରାନ୍ତିକୁ ଓଡିଶାର ଗଣପର୍ବ ଭାବେ ପାଳନ କରାଯାଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି ।

ମକର ସଂକ୍ରାନ୍ତି କେବଳ ଓଡ଼ିଶା କାହିଁକି ସମଗ୍ର ଦେଶରେ ଏକ ଗଣପର୍ବଭାବେ ପାଳିତ ହୋଇଥାଏ । ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଆରମ୍ଭ ହେଉଥିବାରୁ ଏହାର ଗୁରୁତ୍ୱ ରହିଛି ।ଏହି ପର୍ବକୁ ଭିନ୍ନ ଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାଁରେ ପାଳନ କରିଥାନ୍ତି । ଓଡିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଜଣାଶୁଣା ।