ଦୁଇ ଦିନ ହେବ ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ : ଭଲ ଶିକ୍ଷକଙ୍କ ବଦଳି ବାତିଲ ସାଙ୍ଗକୁ ଅଯୋଗ୍ୟ ଶିକ୍ଷକଙ୍କ ବଦଳି ଦାବି

39

କନକ ବ୍ୟୁରୋ : ମୁଁ ଖରାପ ଶିକ୍ଷକ ମୋର ବଦଳି ଦରକାର । ବଦଳି ନହେବା ଯାଏଁ ସ୍କୁଲକୁ ଆସିବି ନାହିଁ । ଜଣେ ଗୁରୁ ଏମିତି କହୁଥିବେ ବୋଲି ଆପଣଙ୍କ ବିଶ୍ୱାସ ହେଉଛି ? ହେଲେ ଏହା ସମ୍ପୂର୍ଣ୍ଣ ସତ । ଏ ଶିକ୍ଷକ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମୁଦଲସର ସ୍କୁଲର । ଗୋଟିଏ ପଟେ ସ୍କୁଲର ଭଲ ଶିକ୍ଷକଙ୍କୁ ବଦଳି କରାଯାଇଛି, ଅନ୍ୟପଟେ ନିୟମିତ ସ୍କୁଲକୁ ଆସୁନଥିବା ଶିକ୍ଷକ ବଦଳି ଦାବି ପରେ ବି ତାଙ୍କର ବଦଳି କରାଯାଉନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଭଲ ଶିକ୍ଷକଙ୍କ ବଦଳି ବାତିଲ ସାଙ୍ଗକୁ ଅଯୋଗ୍ୟ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପଡିଛି । ଦୁଇ ଦିନ ହେବ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ସେପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଖୋଦ୍ ସମ୍ପୃକ୍ତ ଶିକ୍ଷକ । ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କର ଖାତିର ନାହିଁ । କହିଛନ୍ତି ବଦଳି ନହେବା ଯାଏଁ ସେ ସବୁଦିନ ସ୍କୁଲକୁ ଆସିବେ ନାହିଁ । ସେପଟେ ସମ୍ପୃକ୍ତ ଅଯୋଗ୍ୟ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏ.ବି.ଇ.ଓ ସୁବାସ ଚନ୍ଦ୍ର ନାୟକ ।

ନିଜକୁ ଅଯୋଗ୍ୟ ବୋଲି କହୁଥିବା ଶିକ୍ଷକଙ୍କ  କାରନାମାର ରାସ୍ତା ବହୁତ ଲମ୍ବା । ବାବୁ ଜଣଙ୍କ ଯେଉଁ ସ୍କୁଲରେ ନିଯୁକ୍ତି ପାଇଛନ୍ତି ସେଠି ବି ସେ ଏଭଳି କାଣ୍ଡ କରନ୍ତି । ଆଉ ଏଥିପାଇଁ ସସପେଣ୍ଡ ମଧ୍ୟ ହୋଇଛନ୍ତି । ତଥାପି ତାଙ୍କର ପରିବର୍ତ୍ତନ ହୋଇନାହିଁ ।