ଆବାସିକ ବିଦ୍ୟାଳୟରେ ଲଜ୍ଜା: ବଢୁଛି ନାବାଳିକାଙ୍କ ପ୍ରତି ନିର୍ଯାତନା

କନ୍ଧମାଳ, ଢେଙ୍କାନାଳ ପରେ ଧର୍ମଗଡ଼ ଆବାସିକ ବିଦ୍ୟାଳୟରୁ ଆସିଲା ଲଜ୍ଜାଜନକ ଖବର

142

କନକ ବ୍ୟୁରୋ: ମାଆ ବନୁଛନ୍ତି ସ୍କୁଲ ପିଲା । କନ୍ଧମାଳ ପରେ ଗତ ଦୁଇ ଦିନ ଭିତରେ ଢେଙ୍କାନାଳ ଓ ଧର୍ମଗଡରୁ ଆସୁଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଖବର । ଆଉ ବଡ କଥା ହେଉଛି, ସବୁ ସ୍ଥାନରେ ଆଶ୍ରମ ସ୍କୁଲ କିମ୍ବା ଆବାସିକ ବିଦ୍ୟାଳୟରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହାରି ଭିତରେ କନ୍ଧମାଳ ନାବାଳିକା ପ୍ରସବ ଘଟଣାକୁ ନେଇ ପ୍ରତିବାଦ ଜୋରଦାର କରିଛନ୍ତି ବିରୋଧୀ ।

ଢେଙ୍କାନାଳର ସପ୍ତଶଯ୍ୟା ଅନୁସୁଚିତ ଜନଜାତି ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଅନ୍ତସତ୍ୱା ଥିବା ସାମ୍ନାକୁ ଆସିଛି । ଏନେଇ ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିଛନ୍ତି । ସମାନ ଘଟଣା ଘଟିଛି ଧର୍ମଗଡରେ । ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଏବେ ଗର୍ଭବତୀ । ଅଭିଯୋଗ ପରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ ଢେଙ୍କାନାଳ ଓ ଧର୍ମଗଡର ଘଟଣା ରାଜ୍ୟ ପାଇଁ ଲଜ୍ଜା ଆଣିଛି ।

କିଛି ଦିନ ତଳେ କନ୍ଧମାଳର ଏକ ଆଶ୍ରମ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏପରିକି ପରେ ଏକ ଶିଶୁ କନ୍ୟାକୁ ଜନ୍ମ ବି ଦେଇଥିଲେ । ହେଲେ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଚାରିଆଡେ ପ୍ରତିବାଦ ଜୋରଦାର ହେଉଛି । ଶନିବାର ଫୁଲବାଣୀ, ଦେବଗଡ ଓ ନବରଙ୍ଗପୁରରେ ବିକ୍ଷୋଭ କରିଛି କଂଗ୍ରେସ । ଏହାରି ଭିତରେ ରାଜ୍ୟର ହଜାରେରୁ ଅଧିକ ଆଶ୍ରମ ସ୍କୁଲ ଓ ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛନ୍ତି ସରକାର ।