ଶିକ୍ଷା ବିଭାଗ ପାଇଁ ଲଜ୍ଜା ! ନୂତନ ସ୍କୁଲ ଘର ନିର୍ମାଣ ନ ହେବାରୁ ଗାଁ ମୁଖ୍ୟ ରାସ୍ତାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

46

କନକ ବ୍ୟୁରୋ: ମାସେ ନୁହେଁ କି ବର୍ଷେ ଦୀର୍ଘ ଦୁଇ ବର୍ଷ ହେବ ଶିକ୍ଷା ବିଭାଗର ନିଦ ଭାଙ୍ଗୁନାହିଁ । ଯେଉଁଥି ପାଇଁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଲଟକାବାହାଲି ଗ୍ରାମରେ ପଦାରେ ପଡିଛି ଶିକ୍ଷାବ୍ୟବସ୍ଥାର ନଗ୍ନ ଚିତ୍ର । ଦୁଇ ବର୍ଷ ବିତିଗଲାଣି ବିପଦ ସଂକୁଳ ସ୍କୁଲ ଘୋଷଣା ହେବାର କିନ୍ତୁ ନୂତନ ସ୍କୁଲର ନିର୍ମାଣ ନକରାନଯିବାରୁ ପ୍ରଥମେ ଛାତ୍ରଛାତ୍ରୀମାନେ ଇନ୍ଦିରାଆବାସ ଘରେ ପାଠଢ଼ୁଥିଲେ । ପରେ ସେଠାରୁ ତଡାଖାଇ ଭଡାଘରେ ଓ ଏବେ ରାଜରାସ୍ତାରେ ଖୋଲା ଆକାଶ ତଳେ ପାଠପଢ଼ିବା ଭଳି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିିଛି ।

ଏହି ସ୍କୁଲରେ ୧୬୪ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏଥିପାଇଁ ରହିଛନ୍ତି ୫ଶିକ୍ଷକ ଶିକ୍ଷୟତ୍ରୀ । ବିପଦପୂର୍ଣ୍ଣ ସ୍କୁଲ କୋଠାଘର ଘୋଷଣା ପରେ ଶିକ୍ଷା ବିଭାଗ ସ୍କୁଲ କୋଠାଘର ନିର୍ମାଣ କରିବା ପାଇଁ ସତେ ଯେମିତି ଇଛା ପ୍ରକାଶ କରୁ ନାହାନ୍ତି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଦୁଇ ବର୍ଷ ହେଲାଣି ବାରଦୁଆର ସୁଣ୍ଡିପିଣ୍ଡା ହେଉଛନ୍ତି । ଏହାକୁ ନେଇ ଗ୍ରାମବାସୀମାନେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ରାସ୍ତାରେ ଗାଈଗୋରୁ, ଯାନବାହାନ ଚଳାଚଳକରୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅନ୍ୟଉପାୟ ନପାଇ ଶିକ୍ଷକ ଶିକ୍ଷୟତ୍ରୀ ରାସ୍ତା ଉପରେ ପାଠପଢାଉଛନ୍ତି ।

କେନ୍ଦ୍ର ଓ ରାଜ୍ୟ ଶିକ୍ଷା ବ୍ୟବସ୍ଥା ବିକାଶର ଦ୍ୱାହି ଦେଉଥିବା ବେଳେ ଶିକ୍ଷା ବିଭାଗର ସ୍ଥାଣୁତା ଓ ପ୍ରଶାସନିକ ଅବ୍ୟବସ୍ଥା ଚିତ୍ର ପଦାରେ ପଡିଛି । ଦୀର୍ଘ ୨ ବର୍ଷ ପୂର୍ବେ ଗ୍ରାମରରେ ଥିବା ସ୍କୁଲକୁ ବିପଦ ପୂର୍ଣ୍ଣ ଘୋଷଣା ପରେ ସ୍କୁଲ ନିର୍ମାଣ କରାଯାଉ ନାହିଁ । ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଘରକୁ ଠେଲି ହୋଇଯିବ ଭାବି ଏକ ଇନ୍ଦିରାଆବାସ ଘରେ ବର୍ଷେ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ । ପରେ ଏକ ଭଡାଘରେ ୨ ମାସ ଏବେ ଗାଁ ମୁଖ୍ୟ ରାସ୍ତାରେ ପାଠ ପଢ଼ୁଛନ୍ତି ।

ଏବେ ବର୍ଷା ଦିନ ଯୋଗୁଁ ବାଧ୍ୟ ହୋଇ ସ୍କୁଲ ଛୁୁଟି କରିବାକୁ ପଡୁଛି । ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ଧର୍ମ ନିଭାଇବା ପାଇଁ ବିନା ବ୍ଲାକବୋର୍ଡରେ ପାଠପଢାଉଛନ୍ତି । ଅନେକ ଅଭିଯୋଗ ପରେ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ ସାତଦିନ ମଧ୍ୟରେ ପଦକ୍ଷେପ ନନେଲେ ରାସ୍ତାରୋକ କରିବେ । ସେପଟେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ସବୁଥର ଭଳି ଚିତାଚରିତ ଢଙ୍ଗରେ ସେପ୍ଟେମ୍ବର ମାସ ସୁଧା ସମାସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିିଛନ୍ତି । ତେବେ ସରକାର ଶିକ୍ଷାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କଥା ପ୍ରଚାର ପ୍ରସାର କରୁଥିବା ବେଳେ ଦୀର୍ଘ ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଘରଟିଏ ନିମାର୍ଣ ନହେବା ଏବଂ ବିଚ୍ ରାସ୍ତାରେ ବସି ଛାତ୍ରଛାତ୍ରୀ ପାଠପଢିବା ସରକାରଙ୍କର ସବୁ ଯୋଜନାକୁ କାଠଗଡାରେ ଛିଡା କରିଛି ।