ହକ୍ ପାଇଁ ଲଢେଇ ! ରାତି ଅଧରେ ବ୍ଲକ ଅଫିସ ଆଗରେ ସ୍କୁଲ ପିଲା, ଶୁଣିଲେନି ବିଇଓ

50

କନକ ବ୍ୟୁରୋ : ରାତି ଅଧରେ ବ୍ଲକ ଅଫିସ ଆଗରେ କୁନି କୁନି ସ୍କୁଲ ପିଲାଙ୍କ ଧାରଣା । ନିଜର ସ୍କୁଲର ଶୈକ୍ଷିକ ବାତାବରଣ ରକ୍ଷା କରିବାକୁ ଗୁହାରି କରିବାକୁ ଆସିଛନ୍ତି ବ୍ଲକ ଶିକ୍ଷା ଅଧିକାରୀଙ୍କୁ । ଏଭଳି ଘଟଣା ଘଟିଛି ରାଜନଗର ଅଞ୍ଚଳରେ । ସ୍କୁଲ ପରିସରରେ ଆସନ୍ତା ୨୫ ରୁ ୨୮ ତାରଖ ପର୍ୟ୍ୟନ୍ତ ସ୍ଥାନୀୟ ଯୁବକ ସଂଘର ପିଲାମାନେ ଏକ ମେଲୋଡି କାର୍ୟ୍ୟକ୍ରମର ଆୟୋଜନ କରିଛନ୍ତି । ମେଲୋଡି ସାଙ୍ଗକୁ ମଦ, ମାଂସର ଆସର ମଧ୍ୟ ଜମିବ । ଏହାକୁ ବିରୋଧ କରିବାରୁ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଯୁବକ ସଂଘର ସଦସ୍ୟମାନେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ପିଲାମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଦାବି କରିଥିବା ବେଳେ ବିଇଓ ରବିନ୍ଦ୍ର କୁମାର ପଣ୍ଡା ଏହାକୁ ଗୁରୁତ୍ୱ ଦେଇନଥିଲେ । ପିଲାଙ୍କ ଦାବିକୁ ପିଲାଳିଆମି ଭାବି ଏଡାଇ ଯାଇଥିଲେ ବିଇଓ । କେବଳ ଏତିକି ନୁହେଁ ଅଫିସ ବାରଣ୍ଡାରେ ଧାରଣାରେ ବସିଥିବା ପିଲାଙ୍କୁ ଅଣଦେଖା କରି ସେ ଏବଂ ତାଙ୍କ କର୍ମଚାରୀ ଅଫିସ ବନ୍ଦ କରି ସେଠାରୁ ପଲାଇଛନ୍ତି । ପିଲାମାନେ ବର୍ଷା ରାତିରେ ବ୍ଲକ ଅଫିସ ବାରଣ୍ଡାରେ ବସି ଧାରଣା ଦେଉଥିବା ବେଳେ ବିଇଓ ଏଥିପ୍ରତି ଦୃଷ୍ଟି ନ ଦେବା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ।