ବର୍ଷା ପାଇଁ ସର୍ତକତା ! ପରେଡରେ ସାମିଲ ହେବେନି ଛାତ୍ରଛାତ୍ରୀ, ସାବଧାନ କରାଇଲେ ସରକାର

88

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ପରେଡରେ ଭାଗ ନେବେନି ଛାତଛାତ୍ରୀ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି କରିଛି ରାଜ୍ୟ ସରକାରଙ୍କ ଗୃହ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏପରିକି କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସର୍ତକତା ପଦକ୍ଷେପ ମୂଳକ ଗୃହ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସରେ ପରେଡରେ ଛାତ୍ରଛାତ୍ରୀ ମାନଙ୍କୁ ଭାଗ ନେବା ପାଇଁ ବାରଣ କରାଯାଇଛି ।

ସ୍ୱାଧୀନତା ଦିବସ ପରେଡରେ କେବଳ ପୋଲିସ ଓ ପାରାମିଲିଟାରୀ ଫୋର୍ସ ଭାଗ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏପରିକି ସ୍ୱାଧୀନତା ଦିବସ ଅବସରରେ ହେଉଥିବା ସାଂସ୍କୃତିକ ଓ କ୍ରୀଡା କୌଶଳ କାର୍ଯ୍ୟକ୍ରମକୁ ମଧ୍ୟ ଚଳିତ ଥର ପରେଡରେ ବାରଣ କରାଯାଇଛି । ଏହାଛଡା ସ୍ୱାଧୀନତା ଦିବସରେ ଅଂଶଗ୍ରହଣ କରିଥିବା ଅତିଥି ଓ ଭାଗ ନେଇଥିବା ଅନ୍ୟ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କହିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଆସନ୍ତାକାଲି ପାଳନ ହେବାକୁ ଥିବା ୭୨ତମ ସ୍ୱାଧୀନତା ଦିବସ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।