ଗଛମୂଳେ ଭବିଷ୍ୟତ ନିର୍ମାଣ ! ୩ବର୍ଷ ଧରି ଗଛ ପାଲଟିଛି ଶ୍ରେଣୀଗୃହର ଛାତ, ପିଲାଙ୍କ ସହ ଖାଦ୍ୟ ଖାଉଛନ୍ତି ଛେଳି-ବତକ

67

କନକ ବ୍ୟୁରୋ : ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ବଦଳିପାରୁନାହିଁ ଶିକ୍ଷାର ଭିତ୍ତିଭୂମି । କେଉଁଠି ଗଛମୁଳେ ପାଠ ପଢାଯାଉଛି ତ ପୁଣି କେତେବେଳେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପିଲାଙ୍କ ଖାଦ୍ୟ ଥାଳିରୁ ପଶୁପକ୍ଷୀ ବି ମଧ୍ୟାହ୍ନ ଭୋଜନ ଖାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

 

 

 

 

 

 

କେନ୍ଦୁଝର ସଦର ବ୍ଲକର ଯୋଗେଶ୍ୱର ନୋଡାଲ ଉଚ ପ୍ରାଥମିକ ବିଦ୍ୟାଳୟରେ ଗଛମୂଳେ ପାଠ ପଢୁଛନ୍ତି ଛୋଟଛୋଟ ପିଲା । ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ଗଛମୂଳେ ପାଠ ପଢନ୍ତି, ଆଉ ଆକାଶରେ କଳାବାଦଲ ଦେଖିଲେ ସେହିଦିନ ପାଇଁ ପାଠପଢା ବନ୍ଦ । ସେହିପରି ବିଦ୍ୟାଳୟର ପାଚେରୀ ନଥିବାରୁ ଅନାୟାସରେ ଛେଳି ଓ ବତକ ପଶି ପିଲାଙ୍କ ଥାଳିରୁ ମଧ୍ୟାହ୍ନ ଭୋଜନ ବି ଖାଇଯାଆନ୍ତି ।

ବିଦ୍ୟାଳୟରେ ୬ଷ୍ଠରୁ ୮ମ ଶ୍ରେଣୀ ଯାଏଁ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଥିବାବେଳେ ଅଧାପନ୍ତରିଆ ହୋଇ ପଡିରହିଛି ଶ୍ରେଣୀଗୃହ । ଆଉ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳରେ ଶିକ୍ଷାର ଅବସ୍ଥା ଦେଖିଲେ ସହଜରେ ଚିନ୍ତା କରାଯାଇପାରିବ ଯେ ରାଜ୍ୟର ଉପାନ୍ତ ଅଂଚଳର ଶିକ୍ଷା ବ୍ୟବସ୍ଥା କିପରି ଥିବ । ତେବେ ଶିକ୍ଷା ଅଧିକାରୀ କହିଛନ୍ତି ଯେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଲେ ବି କୈାଣସି ସୁଫଳ ମିଳିପାରିନାହିଁ ।

ସେହପରି ଅସୁବିଧାର ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ । ରାଜ୍ୟରେ ଶିକ୍ଷକ ଓ ଛାତ୍ର ଅନୁପାତକୁ ନେଇ ସ୍ଥିର ହୋଇଛି ନିୟମ । ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୩୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବା କଥା । କିନ୍ତୁ ନବରଂଗପୁରର ଚାଉଁରିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ତେବେ ଏହି ଘଟଣା ଜଣାପଡିବାପରେ ଜଲ୍ଲାପାଳ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ରାଜ୍ୟର ଏହି ଦୁଇଟି ସ୍କୁଲର ଅବ୍ୟବସ୍ଥାରୁ ଜଣାପଡୁଛି ଛାତ୍ରଛାତ୍ରୀଙ୍କ ପାଇଁ ସରକାର କେତେ ଚିନ୍ତିତ ।