ଝାଟିମାଟି ଘରେ ଚାଲିଛି ଭବିଷ୍ୟତ ଗଢା ! ପଲିଥିନ୍ ଟାଙ୍ଗି ଚାଲିଛି ଅଙ୍ଗନୱାଡି କେନ୍ଦ୍ର

39

କନକ ବ୍ୟୁରୋ : ଝୁପୁଡି ଘର । ଭଙ୍ଗା ଝାଟି ,ମାଟି କାନ୍ଥ ଉପରେ ଚାଳ ଛପର , ତା ଉପରେ ପାଲ ପଡିଛି । ଏହି ଝୁପୁଡି ଚାଳ ଛପର ତଳେ ଗଢ଼ା ହେଉଛି ଆମ ଦେଶର ଭବିଷ୍ୟତ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପଶ୍ଚିମ ଖରିନାସୀ ୫ ନମ୍ବର ଅଙ୍ଗନୱାଡି କେନ୍ଦ୍ର । ୨୦୦୮ରେ ଏହି ଅଙ୍ଗନୱାଡି କେନ୍ଦ୍ରଟି ଆରମ୍ଭ ହୋଇଥିଲା । କିନ୍ତୁ ଏହା ମଧ୍ୟରେ ୯ ବର୍ଷ ବିତିଲାଣି କିନ୍ତୁ ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ନକହିବା ଭଲ । ମହାକାଳପଡା ବ୍ଲକର ୩୧ ପଂଚାୟତରେ ପ୍ରାୟ ୩୧୧ ଅଙ୍ଗନୱାଡି କେନ୍ଦ୍ର । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଆଜି ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ରରେ ପକ୍କା ଗୃହ ନିର୍ମାଣ କରାଯାଇ ପାରିନାହିଁ । ମହାକାଳପଡା ବ୍ଲକରେ ଘର ନଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପର୍ଯ୍ୟାୟ କ୍ରମେ ପକ୍କା ଘର ନିର୍ମାଣ କରାଯିବ ବୋଲି କହିଛନ୍ତି ସିଡିପିଓ ।

ସେହିପରି ପୁରୀ କଣାସ ପଟ୍ଟଯୋଶୀପୁର ପ୍ରାଥମିକ ବିଦ୍ୟାଳୟ । ବର୍ଷା ହେଲେ କ୍ଲାସ ରୁମରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଗୋଟିଏ ଘରେ ଚାଲୁଛି ପାଠପଢା ଓ ମଧ୍ୟାହ୍ନ ଭୋଜନ । ବିଦ୍ୟାଳୟର ନୂତନ ଗୃହ ପାଇଁ ଅର୍ଥ ମଜୁଂର ହୋଇଥିଲେ ମଧ୍ୟ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ସେପଟେ ବିଦ୍ୟାଳୟ ନିର୍ମାଣ ଯାଗାକୁ ନେଇ ବିବାଦ ଥିବାରୁ ଏଭଳି ସମସ୍ୟା ଦେଖାଯୋଉଥିବା କହିଛନ୍ତି ବିଡିଓ । ଭଗବାନଙ୍କ ଭରସାରେ ପାଠ ପଢୁଛନ୍ତି ପିଲା । ରାଜ୍ୟରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ତାହା ଏହି ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରୁ ସ୍ପଷ୍ଟ ବାରି ହେଉଛି ।