ଇତିହାସ ପାଲଟିବ ଶତାଧିକ ସ୍କୁଲ ! ଖର୍ଚ୍ଚ କାଟ କରିବାକୁ ବିଦ୍ୟାଳୟରେ ତାଲା ପକାଇବେ ସରକାର

39

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘାରିଛି ଖର୍ଚ୍ଚ କାଟର ଚିନ୍ତା । ଆଉ ଏହି ତାଲିକାର ଶୀର୍ଷରେ ରହିଛି ବିଦ୍ୟାଳୟ । ଅର୍ଥାତ୍ ରାଜ୍ୟ ସରକାର ଶତାଧିକ ବିଦ୍ୟାଳୟ ବନ୍ଦ କରିବାକୁ ଯାଉଛନ୍ତିି । କେଉଁଠି ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ମିଶାଇ ଦେବାକୁ ଯୋଜନା କରୁଛନ୍ତି ତ ଆଉ କେଉଁଠି ଉପଯୁକ୍ତ ପିଲା ସଂଖ୍ୟା ନଥିବା ଦର୍ଶାଇ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ହେବାକୁ ଯାଉଛି ୬୮ଟି ବିଦ୍ୟାଳୟ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବୁଦ୍ଧିଜୀବି ।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଯୋଜନାରେ ରହିଛି ମଣିଷ ତିଆରି କାରଖାନା । ଯାହାଦ୍ୱାରା ପାଖାପାଖି ଶତାଧିକ ସ୍କୁଲକୁ ବନ୍ଦ କରିଦିଆଯିବ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସବୁ ସ୍କୁଲଗୁଡିକ ଏବେ ଇତିହାସ ପାଲଟିଯିବ । ତେବେ ଏଥିପାଇଁ କେତେକ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ପିଲା ନଥିବା ଦର୍ଶାଇ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ସରକାର । ସେହିପରି ଆଉ କେତେକ ସ୍ଥାନରେ ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ମିଶାଇ ନାଁ ତାର ବଦଳାଯିବ ବୋଲି ଘୋଷଣା ହୋଇଛି ।

ତେବେ ଏହି କ୍ରମରେ ବାରିପଦା ସହରର ମଧ୍ୟ ଭାଗରେ ଥିବା ଅଭ୍ୟାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ୍ ହେବ । ସ୍ୱାଧୀନତାର ପୂର୍ବରୁ ୧୯୩୭ ମସିହାରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟ ପଛରେ ରହିଛି ଅନେକ ଐତିହାସିକ ପୃଷ୍ଠଭୂମି । ଦିନେ ଏହି ସ୍କୁଲ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଆଦର୍ଶ ପାଲଟିଥିଲା । ଏହି ବିଦ୍ୟାଳୟରୁ ଅନେକ ବିଦ୍ୟାର୍ଥୀ ଆଇଏଏସ୍. , ଓଏଏସ୍ ପରି ଅନେକ ବଡ ବଡ ପଦପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ମଧ୍ୟ ନିଜର ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ଥିଲେ । ସତେ ଯେମିତି ୮୦ ବର୍ଷ ପରେ ଏଠି ଗ୍ରହଣ ଲାଗିଛି । ଆଜିର ଦିନରେ ବିଦ୍ୟାଳୟରେ ମୋଟ୍ ପିଲାସଂଖ୍ୟା ୧୦କୁ ଶିକ୍ଷକଙ୍କ ସଂଖ୍ୟା ୨ । ସ୍କୁଲର ଏପରି ଅବସ୍ଥା ପାଇଁ ନିକଟରେ ଗଢ଼ି ଉଠିଥିବା ଘରୋଇ ସ୍କୁଲକୁ ଦାୟୀ କରିଛନ୍ତିି ଶିକ୍ଷୟତ୍ରୀ ।

ସେହିଭଳି ଏହି ଜିଲ୍ଲାର ଶୁଳିଆପଦା ବ୍ଲକର ପଥରା ପ୍ରାଥମିକ ବିଦ୍ୟାଳୟରେ ପଡିଛି ତାଲା । ବିଦ୍ୟାଳୟରେ ରହିଛି ସୁନ୍ଦର ପରିବେଶ, ଶ୍ରେଣୀ ଗୃହ ଓ ପିଇବା ପାଣି ବ୍ୟବସ୍ଥା । ହେଲେ ରାସ୍ତା ନଥିବାରୁ ସ୍କୁଲକୁ ଆସୁନାହାଁନ୍ତି ପିଲା । ଏଠି ପିଲା ସଂଖ୍ୟା ଶୂନ ଓ ଶିକ୍ଷକଙ୍କ ସଂଖ୍ୟା ୧ । ଏଥି ପାଇଁ ସରକାରଙ୍କ ଖାମଖିଆଲ ନୀତିକୁ ଦାୟୀ କରିଛନ୍ତି ଗ୍ରାମବାସୀ ।

ଗୋଟିଏ ପଟେ ଛତୁ ଫୁଟିଲା ପରି ପାଖକୁ ପାଖ ଗଢ଼ି ଉଠୁଛି ନୂଆ ନୂଆ ଘରୋଇ ବିଦ୍ୟାଳୟ । ଅନ୍ୟପଟେ ଓଡିଆ ବିଦ୍ୟାଳୟ ଗୁଡିକୁ ଉପଯୁକ୍ତ ଭିତିଭୂମି ଯୋଗାଇ ନଦେଇ, ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବି । ସମାଜ ମଙ୍ଗଳ ରାଷ୍ଟ୍ରରେ ବିଦ୍ୟାଳୟ ଭଳି ଏକ ଜନ କଲ୍ୟାଣକାରୀ ଅନୁଷ୍ଠାନକୁ ବନ୍ଦ ନକରି ଉଚିତ୍ ଭିତ୍ତିଭୂମି ଯୋଗାଇ ଦେଇ ସର୍ବଶିକ୍ଷା ଅଭିଯାନର ନାରା ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ସଫଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।