ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! କାଦୁଅ ପଚପଚ ସ୍କୁଲ ଘର , ଛାତରୁ ଖସୁଛି ସିମେଂଟ୍ ପ୍ଲାଷ୍ଟର, ଏମିତି ଚାଲିଛି ପାଠପଢ଼ା ।

49

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ସ୍ୱାଭିମାନ ଅଂଚଳ ମାଲକାନଗିରିର ଶୋଚନୀୟ ସ୍କୁଲ । ସ୍କୁଲରେ ପାଠ ପଢ଼ିବା ତ ଦୂରର କଥା ପିଲାମାନଙ୍କୁ ବସିବାକୁ ଜାଗାଟିଏ ନାହିଁ । ଏଭଳି ଦୃଶ୍ୟ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଡା ପଂଚାୟତର କାର୍ଲମାଲ ସ୍କୁଲରେ ଦେଖିବାକୁ ମିଳିଛି । ଏହି ସ୍କୁଲକୁ ପାଠ ପଢ଼ିବା ପାଇଁ ପ୍ରାୟ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀ ଆସିଥାନ୍ତି । କିନ୍ତୁ ସ୍କୁଲର ଅବସ୍ଥା ଏଭଳି ହୋଇଛି ତାହା କହିଲେ ନସରେ । ମାଲକାନଗିରିରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଥିଲା । ଫଳରେ ହନ୍ତସନ୍ତ ହେଉଛନ୍ତି ସ୍କୁଲପିଲା ।

କେଉଁଠି ସ୍କୁଲ ଛାତ ଓ କାନ୍ଥରୁ ପାଣି ଝରୁଛି ତ କେଉଁଠି ଛାତରୁ ସିମେଂଟ ଢେଲା ପଡୁଛି । ପାଣି ଲହଡି ମାରୁଥିବା ଏହି ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏହି ସ୍କୁଲରେ ପିଲାମାନଙ୍କୁ ପାଠ ପଢିବାକୁ ହେଲେ ତଳେ ବସିବାକୁ ପଡେ, ତଳେ ବର୍ଷାପାଣି ପାଠ ପଢ଼ାରେ ବାଧା ସାଜୁଛି । ବର୍ଷା ପାଣିକୁ ଛାତ୍ରଛାତ୍ରୀମାନେ ଝାଡୁ ମାରି ସଫା କରି ତଳେ ବସି ପାଠ ପଢନ୍ତି ।  ବେଳେ ବେଳେ ଛାତ ଉପରୁ ସିମେଂଟ ଢେଲା ପଡ଼ୁଥିବାରୁ ପିଲାମାନଙ୍କ ଜୀବନ ମଧ୍ୟ ବିପଦରେ ଅତିବାହିତ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍କୁଲ ଚାରିପାଖେ ଜଙ୍ଗଲ ହୋଇ ପଡିରହିଛି । ପିଇବା ପାଇଁ ପାଣିର ମଧ୍ୟ ପାଣିବ୍ୟବସ୍ଥା ନାହିଁ । ବେଳେ ବେଳେ ଅଧିକରୁ ଅଧିକ ବର୍ଷା ହେଲେ ସ୍କୁଲ ଭିତରକୁ ସାପ, ବେଙ୍ଗ ଆଦି ଚାଲି ଆସୁଛନ୍ତି ।

ସବୁଠାରୁ ବଡ କଥା ହେଲା, ସୁଲରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବାକୁ ଘର ମଧ୍ୟ ନାହିଁ । ପିଲାମାନଙ୍କ ପାଇଁ ଏକ ଖୋଲା ଅଗଣାରେ ହିଁ ଭୋଜନ ପ୍ରସ୍ତୁତ କରାଯାଏ । ନା ସ୍କୁଲର ପାଚେରୀ ଅଛି ନାଁ ଅଛି ଅନ୍ୟାନ୍ୟ ମୌଳିକ ସୁବିଧା । ସବୁରି ପରେ ବି ଆଉ ଏସବୁ କଥା ଜାଣି ବି ପ୍ରଶାସନ ଚୁପ ।