ଅନ୍ୟ ସ୍କୁଲରେ ପଢିବାକୁ ଟିସି ମାଗିବା ପଡିଲା ମହଙ୍ଗା ! ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ଟିସିରେ ଲେଖିଲେ ‘କଳିହୁଡି’

20

ସାଧାରଣତଃ ଗୋଟିଏ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ଆଡମିଶନ କରିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଟିସି ଦିଆଯାଇଥାଏ । ଯେଉଁଥିରେ ପିଲାଟିର ସ୍ୱଭାବ ବାବଦରେ ଲେଖା ଯାଇଥାଏ । ଯାହା ଫଳରେ ଅନ୍ୟ ସ୍କୁଲରେ ଆଡମିଶନ କଲାବେଳେ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । ତେବେ ସ୍କୁଲରେ ପଢିବାକୁ ମନା କରିବାରୁ ଛାତ୍ରୀଙ୍କ ଟିସି(ଟ୍ରାନ୍ସଫର ସାର୍ଟିଫିକେଟ)ରେ କଳିହୁଡ଼ି ପ୍ରବୃତ୍ତିର ବୋଲି ଲେଖିଛନ୍ତି ପ୍ରଧାନଶିକ୍ଷକ । ଆଉ ଏଭଳି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ଟିସିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସ୍ୱଭାବ କଲିହୁଡ଼ି ବୋଲି ଲେଖିଛନ୍ତି । ତେବେ ସ୍କୁଲ କର୍ତ୍ତୃପକ୍ଷ ଏଭଳି କରିବା ପଛରେ ଉଦ୍ଦେଶ୍ୟ ଥିଲା ଯେ, ଛାତ୍ରୀ ଜଣଙ୍କୁ ଅନ୍ୟ କୌଣସି ସ୍କୁଲରେ ଯେପରି ଆଡମିଶନ ନ ମିଳେ । ଆଉ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର ଲୋକ ।

ଛାତ୍ରୀଙ୍କ ପରିବାରବର୍ଗ କିପରି ଝିଅର ଆଡମିସନ୍ ହେଉ ଓ ତାଙ୍କୁ ନ୍ୟାୟ ମିଳୁ ସେନେଇ ଏଡିଏମଙ୍କ ନିକଟରେ ଗୁହାରି କରିଛନ୍ତି। ଏଡିଏମ୍ ଏହି ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ଛାତ୍ରୀ ତଥା ତାର ପରିବାର ଲୋକଙ୍କୁ ଝିଅର ଆଡମିସନ୍ ଅନ୍ୟ ସ୍କୁଲରେ ହୋଇଯିବ ସେନେଇ ଆଶ୍ୱସନା ଦେଇଥିଲେ। ଏଥିସହିତ ଛାତ୍ରୀର ଟିସିରେ ଗୁଡ କ୍ୟାରେକ୍ଟର ଲେଖି ଅନ୍ୟ ସ୍କୁଲରେ ଆଡମିସନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଭଳି ଏକ ମାମଲା ହରଦୋଇ ବେନିଗଞ୍ଜ ଅଞ୍ଚଳରେ ଘଟିଛି। ଏଠାରେ ସିକନ୍ଦରପୁର ଗ୍ରାମରେ ବସବାସ କରୁଥିବା ବାବୁରାମ ନିଜର ନାତୁଣୀ ଶିଖାର ଆଡମିସନ୍ ବାଳିକା ପୂର୍ବ ମାଧ୍ୟମିକ ବିଦ୍ୟାଳୟ ନୂଆ ବଜାର ବେନିଙ୍ଗଞ୍ଜ(ସିଟି ପବ୍ଲିକ୍ ସ୍କୁଲ) ନର୍ସରିରେ କରିଥିଲେ। ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଶିଖା ଏହି ସ୍କୁଲରେ ପାଠ ପଢ଼ିଥିଲା। ପିତାର ମୃତ୍ୟୁ ପରେ ଏହି ସ୍କୁଲର ଅଧିକ ଫିସ୍ ତାର ଜେଜେବାପା ଦେଇ ପାରିଲେ ନାହିଁ। ତେଣୁ ସ୍କୁଲ ବଦଳାଇ ଗାନ୍ଧି ଇଣ୍ଟର କଲେଜରେ ଅଡମିସନ୍ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସିଟି ପବ୍ଲିକ୍ ସ୍କୁଲର ପ୍ରଧାନଶିକ୍ଷକ ଦେବେନ୍ଦ ତାଙ୍କ ସ୍କୁଲରୁ ଟିସି ଦେବାକୁ ଚାହୁଁ ନଥିଲେ। ଶିଖାର ଜେଜେବାପା ଟିସି ଦେବାକୁ ବାଧ୍ୟ କରିବାରୁ ସେ ଛାତ୍ରୀର ଟିସିରେ କଳହ ସ୍ୱଭାବର ବୋଲି ଲେଖି ଦେଇଥିଲେ, ଯେପରି ଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ଆଡମିସନ୍ ପାଇଁ ସୁଯୋଗ ନ ମିଳୁ ।