କନକ ବ୍ୟୁରୋ : ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ରକ୍ତମୁଖା ହେଲା ଭଉଣୀ । ସ୍କୁଲର ସମସ୍ତ ପିଲାଙ୍କୁ ମାରିବା ପାଇଁ ଚିନ୍ତା କରି ମଧ୍ୟାହ୍ନ ଭୋଜନରେ ମିଶାଇଲା କୀଟନାଶକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଦେବରିୟାରେ । ଜଣେ ସପ୍ତମ ଶ୍ରେଣୀର ଛାତ୍ରୀକୁ ମଧ୍ୟାହ୍ନ ଭୋଜରେ ବିଷ ମିଶାଇବା ଅପରାଧରେ ଅଟକ ରଖିଛି ପୋଲିସ୍ । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଛାତ୍ରୀ ଜଣକ ତା’ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏପରି କରିଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ଛାତ୍ରୀ ଓ ତାଙ୍କ ମା’କୁ ଗିରଫ କରିଛି । ଆଉ ରୋଷେଇ ଘରକୁ ସିଲ୍ କରିଦେଇଛି ।

ସୂଚନା ଅନୁସାରେ ଦେବରିୟାର ବନକଟା ଥାନା ଅଂଚଳର ପରିଷଦୀୟ ଜୁନିୟର ହାଇସ୍କୁଲର ରୋଷେଇଆ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷୁଥିଲେ । ଆଉ ସେହି ସମୟରେ ହଠାତ୍ ଉକ୍ତ ଛାତ୍ରୀ ଜଣକ ରୋଷେଇ ଘରେ ପଶିିଥିଲେ । ଆଉ ଡାଲିରେ କୀଟନାଶକ ମିଶାଇଦେଇଥିଲେ । ତେବେ ସୌଭାଗ୍ୟବଶତଃ ଆଉ ଜଣେ ଛାତ୍ରୀ ଅଭିଯୁକ୍ତଙ୍କ ଏହି କାରନାମାକୁ ଦେଖିପକାଇଥିଲେ । ଆଉ ତୁରନ୍ତ ଏନେଇ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଇଥିଲେ ।

ତା’ପରେ ତୁରନ୍ତ ରୋଷେଇ ଘରକୁ ତାଲା ପକାଇ ଦିଆଗଲା । ଆଉ କୌଣସି ବି ପିଲାଙ୍କୁ ଭୋଜନ ଦିଆଯାଇନଥିଲା । ଘଟଣା ପ୍ରଘଟ ପରେ ସ୍କୁଲ ପରିସରରେ ଭିଡ଼ ଜମିଥିଲା । ଆଉ ସେଠାରେ ଲୋକାମାନନେ ଅଭିଯୁକ୍ତ ଛାତ୍ରୀର ମା’କୁ ପ୍ରବଳ ପିଟିଥିଲେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଉକ୍ତ ଛାତ୍ରୀ ଜଣକ ନିଜ ଭାଇ ମୃତ୍ୟୁର ପ୍ରିତିଶୋଧ ନେବା ପାଇଁ ଏପରି କରିଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଅଭିଯୁକ୍ତ ଛାତ୍ରୀଙ୍କ ଭାଇକୁ ଜଣେ ଛାତ୍ର ପଥରରେ ଛେଛି ହତ୍ୟା କରିଥିଲା । ଆଉ ଉକ୍ତ ଛାତ୍ର ଏବେ ସୁଧାର ଗୃହରେ ଅଛି । ତେବେ ଭାଇ ମୃତ୍ୟୁର ପ୍ରତଶୋଧ ନେବା ପାଇଁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀକୁ ମାରିଦେବାକୁ ବସିଥିଲା ଛାତ୍ରୀ ଜଣକ । ଏବେ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।