ରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା ! ନବମ ଦିନରେ ପହଂଚିଲା ବ୍ଲକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ

19

କନକ ବ୍ୟୁରୋ: ରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା । ନବମ ଦିନରେ ପହଁଚିଛି ବ୍ଲକଗ୍ରାଂଟ୍ ଶିକ୍ଷକଙ୍କ ଆନ୍ଦୋଳନ । ସେପଟେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପାଠପଢା ଠପ୍ ହୋଇଯାଇଛି । ବ୍ଲକ୍ ଗ୍ରାଂଟ୍ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅଡି ବସିଛନ୍ତି ଶିକ୍ଷକ ମଂଚ । ୮ରୁ ଅଧିକ ସଂଗଠନ ରାଜଧାନୀ ରାଜରାସ୍ତାରେ ଧାରଣା ଦେଇଛନ୍ତି । ତେବେ ଗୁରୁଙ୍କ ଗର୍ଜନ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି ସରକାରା ଏହାରି ଭିତରେ ମନ୍ତ୍ରୀ ଓ ବିଧାୟକଙ୍କ ବାସଭବନ ଘେରିବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି ।

ସୂଚନା ମୁତାବକ, ୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରଭାବରେ ସାରା ରାଜ୍ୟରେ ସ୍କୁଲଗୁଡିକରେ ପଡିଛି ତାଲା । ପୂର୍ଣ୍ଣ ଅନୁଦାନ ଦାବିରେ ସରକାରଙ୍କ ସହ ଏକପ୍ରକାର ମୁହାଁମୁହିଁ ହୋଇଛି ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ଅହୋରାତ୍ର ଧାରଣାରେ ବସିରହିଥିଲେ ବି ସରକାରଙ୍କ ପକ୍ଷରୁ ଆଲୋଚନା ନେଇ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗରେ ସ୍କୁଲଗୁଡିକୁ ବନ୍ଦ ରଖିବାରୁ ଆହ୍ୱାନ ଦେଇଛି । ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପଡିଛି ।

ତେବେ ଗୋଟିଏ ପଟେ ଶିକ୍ଷକଙ୍କ ଆନ୍ଦୋଳନ, ଆଉଗୋଟିଏ ପଟେ ସରକାରଙ୍କ ଉଦାସୀନତା । ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି । ଆଗକୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପ୍ରିଟେଷ୍ଟ ପରୀକ୍ଷା ଥିବାରୁ ରାଉରକେଲାର ଏକ ସ୍କୁଲରେ ପାଳିକରି ପାଠ ପଢାଉଛନ୍ତି ସ୍କୁଲର ମେଧାବୀ ଛାତ୍ରଛୀତ୍ରୀ ।