ବାତ୍ୟା ତିତଲି ପାଖଉଛି, ଭୟ ଘନଉଛି! ଆସନ୍ତାକାଲି ଠାରୁ ସ୍କୁଲ ଛୁଟି, କଲେଜ ଛୁଟି

124

କନକ ବ୍ୟୁରୋ : ବାତ୍ୟା ତିତଲି ପାଇ ତତ୍ପର ହେଲେ ସରକାର । ଭୟଙ୍କର ବାତ୍ୟାର ରୂପ ନେବାକୁ ଥିବା ତିତଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ୪ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏପରିକି ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ଯାଏଁ ଏହି ୪ଟି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ।

TITLIସେହିଭଳି ତିତଲିକୁ ଦୃଷ୍ଟିରେ ରଖି ସ୍ଥିତି ଦେଖିବା ପରେ ଅନ୍ୟ ଜିଲ୍ଲା ବିଷୟରେ ପ୍ରଶାସନ ନିଷ୍ପତି ନେବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ତ୍ରୀବତା ଜଣାପଡିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୮ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟାରେ ପରିଣତ ହେବ ତିତଲି । ଏବେ ଗୋପାଳପୁର ଠାରୁ ୫୧୦ କିଲୋମିଟର ଦୂରରେ ତିତଲି ରହିଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଉ ଏହି ସମୟରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ତିତଲି ଗତ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ତିତଲି ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡିଶାରେ ବର୍ଷାର ଆରମ୍ଭ ହୋଇଯିବ । ୧୦-୧୧ ତାରିଖରେ ଦକ୍ଷିଣ ଓଡିଶା-ଉପକୂଳ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ କମିବ ।

ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆବଶ୍ୟକ ତଳିଆ ଅଂଚଳର ଲୋକଙ୍କୁ ସ୍ଥ୍ାନାନ୍ତର ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ବିମାନ ବନ୍ଦର ପ୍ରସ୍ତୁତ । ସମସ୍ତ ବିଭାଗର ମୁଖ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ପବନର ବେଗକୁ ଦେଖି ବିମାନ ଉଡାଣ ଆବଶ୍ୟକ ହେଲେ ପରିବର୍ତନ ହେବ ବୋଲି କୁହାଯାଇଛି ।