ସ୍କୁଲ ଭାଙ୍ଗିଦେଲା ମେଧାବୀ ପିଲାର ସ୍ୱପ୍ନ । ନବୋଦୟ ପାଇବା ପରେ ଧୋକା ଦେଲା ସ୍କୁଲ, ନାମ ଲେଖାଇ ପାରିଲେନି ମେଧାବୀ ଛାତ୍ର ଅନିକେତ

72

କନକ ବ୍ୟୁରୋ : ପ୍ରଶାସନର ନାକ ଆଗରେ ଖାଲି ଟଙ୍କା ଲୋଭରେ ଛତୁ ଭଳି ଖୋଲିଚାଲିଛି ବେସରକାରୀ ସ୍କୁଲ୍ । ସରକାରଙ୍କ ବିନା ଅନୁମତିରେ ସ୍କୁଲ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି । ବାରିପଦାର ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଥିବା ଛାତ୍ର ନବୋଦୟ ସ୍କୁଲରେ ପଢିବା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ପଢିପାରିନାହାନ୍ତି । କାରଣ ସେ ପଢୁଥିବା ସ୍କୁଲରେ ଏନଓସି ନାହିଁ । ତେଣୁ ମେଧାବୀ ଛାତ୍ର ଅନିକେତ୍ ସାହାଣୀ ନବୋଦୟ ସ୍କୁଲରେ ପାଠ ପଢିବାରୁ ବଂଚିତ ହୋଇଛନ୍ତି ।

ଲୁହ ଛଳଛଳ ଆଖି ଓ ମନ ଭିତରେ କୋହ । ଯେଉଁଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା ଯାଇଥାଏ ସେହିଠାରେ ହିଁ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳାଯାଇଛି ସାଂଘାତିକ ଖେଳ । ଆଉ ଯେଉଁଥିପାଇଁ ମେଧାବୀ ଛାତ୍ର ଅନିକେତଙ୍କ ଆଖିରୁ ଶୁଖୁନି ଲୁହ । ଘରୋଇ ସ୍କୁଲର ଖାମ ଖିଆଲି ନୀତି ଯାଗୁଁ ନବୋଦୟ ପାଇ ବି ନାମ ଲେଖାଇ ପାରିଲେ ନାହିଁ ମେଧାବୀ ଛାତ୍ର । ଡାକ୍ତର ହେବାର ସ୍ୱପ୍ନ ମଉଳି ଯାଇଛି ବୋଲି କହିଛନ୍ତି ବାରିପଦା ସହରର ୧୪ନମ୍ବର ୱାର୍ଡ ତୁଳସୀଚଉରା ହିରିଜନ ସାହିରେ ରହୁଥିବା ତରୁଣ ସାହାଣୀଙ୍କ ପୁଅ ଅନିକେତ୍ ।

ତୁଳସୀଚଉରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିିରରେ ଷଷ୍ଠ ଶ୍ରେଣୀରେ ପାଠପଢ଼ନ୍ତି ଅନିକେତ୍ । ନବଦୋୟ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା କରିବା ଆଶାରେ ଆକ୍ଳାନ୍ତ ପରିଶ୍ରମ କରି ନବୋଦୟ ପରୀକ୍ଷା ଦେଇଥିଲେ ଅନିକେତ୍ । ଆଉ ନବୋଦୟ ତାଲିକାର ୬ ନମ୍ବର ସ୍ଥାନରେ ଥିଲେ । ହେଲେ ସେ ପଢୁଥିବା ସ୍କୁଲର ଏନ.ଓ.ସି ନଥିବାରୁ ନବୋଦୟ ସ୍କୁଲରେ ନାମ ଲେଖାଇ ପାରିଲେ ନାହିଁ ।

ସ୍କୁଲର ଅବହେଳା ଯୋଗୁଁ ମେଧାବୀ ଛାଚ୍ର ଅନିକେତ୍ ଭାଙ୍ଗି ପଡିଛନ୍ତି । ତୁଳସୀଚଉରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିିରରେ ବୋଧରୁ ଦଶମ ଯାଏଁ ୧୫୪୧ ଛାତ୍ରଛାତ୍ରୀ ପଢୁଥିବା ବେଳେ ସ୍କୁଲଟି ୧୭ ବର୍ଷ ହେବ ବିନା ସରକାରୀ ଅନୁମତିରେ ଚାଲିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷାନୁଷ୍ଠାନ ନାଁରେ ବେପାର ଖୋଲି ବସିଥିବା ଚୋର, ଖଂଟଙ୍କର ଏକ ଲମ୍ବା ତାଲିକା ଦେଇଛନ୍ତି । ଖାଲି ବରିପଦା ସହର ନୁହ୍ନେଁ, ମୟୂରଭଞ୍ଜ ଜିଲ୍ଲାରେ ବିନା ଏନଓସିରେ ଅନେକ ସ୍କୁଲ ଚାଲିଥିବା ସେ କହିଛନ୍ତି । ମୟୂରଭଂଜ ଜିଲ୍ଲାରେ ୪୦୦ରୁ ଅଧିକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ମାତ୍ର ୫୭ଟି ଶିକ୍ଷାନୁଷ୍ଠାନ ସରକାରୀ ଅନୁମତି ପାଇଛି । ଜିଲ୍ଲାରେ ଚଳିତ ବର୍ଷ ଅନିକେତ୍ ଭଳି ଆଉ ୩୩ଜଣ ଛାତ୍ରଛାତ୍ରୀ ନବୋଦୟ ପାଇଁ ମନୋନୀତ ହୋଇ ମଧ୍ୟ ନାମ ଲେଖା ପାରିନାହାନ୍ତି । ସମସ୍ତଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି, ସେମାନେ ପଢୁଥିବା ସ୍କୁଲ ।