ତିନି ଦିନରେ ପହଞ୍ଚିଲା କଟକ ବଡ ଡାକ୍ତରଖାନା ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ! ତିନି ଦଫା ଦାବି ନେଇ ଜିଦରେ ଅଟଳ

27

କନକ ବ୍ୟୁରୋ : ତୃତୀୟ ଦିନରେ ପହଞ୍ଚିଲା ଜୁନିୟର ଡାକ୍ତର ଆନ୍ଦୋଳନ । ୩ ଦଫା ଦବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି କଟକ ବଡମେଡିକାଲର ଜୁନିୟର ଡାକ୍ତର । ଷ୍ଟାଇପେଣ୍ଡ ବୃଦ୍ଧି, ହାଉସ ସର୍ଜନଙ୍କ ସୁରକ୍ଷା ବୃଦ୍ଧି ସହ ଅଧୀକ୍ଷକଙ୍କୁ ତାଙ୍କ ପଦରୁ ହଟେଇବା ଦାବି କରି ଆନ୍ଦୋଳନ କରୁଛନ୍ତି ଜୁନିୟର ଡାକ୍ତର । କର୍ତ୍ତୃପକ୍ଷ କୌଣସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଉସ ସର୍ଜନ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଜୁନିୟର ଡାକ୍ତର ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନିଆଯାଇଛି ।

SCB ସେପଟେ ହାଉସ ସର୍ଜନଙ୍କ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରି ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନାରେ କୌଣସି ନିର୍ଯ୍ୟାସ ବାହାରିନଥିବା ହାଉସ ସର୍ଜନ ସଂଘ ପକ୍ଷରୁ କୁହାଯାଇଛି । ସେହିପରି ମେଡିକାଲ କଲେଜ ଅଧକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ ସହିତ ମଧ୍ୟ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲେ ବି କେବଳ ମୌଖିକ ପ୍ରତିଶ୍ରୁତି ମିଳିଛି । ତେଣୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଏସସିବିରେ ରୋଗୀ ସେବା ପ୍ରଭାବିତ ହୋଇଛି । ମଙ୍ଗଳବାର ରାତିରେ ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ରୋଗୀ ସମ୍ପର୍କୀୟ ଡାକ୍ତରଙ୍କୁ ଗାଳି ଗୁଳଜ କରିବା ସହ ମାଡ ମାରିଥିବା ଅଭିଯୋଗରେ ଆନ୍ଦୋଳନ କରୁଛନ୍ତି ଡାକ୍ତର । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ପୁଲିସ କହିଛି ତଦନ୍ତ ଚାଲିଛି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।