ହାଇକୋର୍ଟ ଫେରିଲା କୁନ୍ଦୁଲି ମାମଲା ! ମୁଖ୍ୟମନ୍ତ୍ରୀ କହିଲେ, ଏସଆଇଟି ତଦନ୍ତ କରି ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇବୁ

20

କନକ ବ୍ୟୁରୋ: କୁନ୍ଦୁଲି ମାମଲାର ହାଇକୋର୍ଟରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ୪ଟି ମାମଲା ସହ ପୀଡିତାଙ୍କ ସମ୍ପର୍କୀୟଙ୍କ ଆବେଦନର ବିଚାର ମଧ୍ୟ ହାଇକୋର୍ଟରେ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କୁନ୍ଦୁଳି ପିଡ଼ିତାଙ୍କ ଭାଇ ଭଗବାନ ଛତ୍ରୀ ସୁପ୍ରିମ କୋର୍ଟରେ ଗତ ୭ ତାରିଖ ଦିନ ମାମଲାର ସିବିଆଇ ତଦନ୍ତ ପାଇଁ ନିବେଦନ କରିଥିଲେ। ଏକ ରିଟ୍ ପିଟିସନ ଜରିଆରେ ସେ ସର୍ବୋଚ୍ଚ ଅଦାଲତରେ ନିବେଦନ କରିଥିଲେ ଯେ ପୁଲିସ ଉପରେ ତାଙ୍କର ବିଶ୍ୱାସ ନାହିଁ । ତେଣୁ ପ୍ରକୃତ ସତ୍ୟ ସାମନାକୁ ଆଣିବା ପାଇଁ ସିବିଆଇକୁ ତଦନ୍ତ ନିର୍ଦେଶ ଦେବାକୁ ସେ ପିଟିସନରେ ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ପୀଡ଼ିତାଙ୍କ ବୟାନକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚକ୍ରାନ୍ତ କରିଥିବା ପୁଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ମାମଲାର ତଦନ୍ତ କରିବାକୁ ପୀଡ଼ିତାଙ୍କ ଭାଇ ନିବେଦନ କରିଥିଲେ ।

ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ଓଡ଼ିଶା ହାଇକୋର୍ଟକୁ ନିର୍ଦ୍ଦେଶ ଦେବା ସହିତ ମାମଲାରୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, କୁନ୍ଦୁଲି ମାମଲାର ସିବିଆଇ ତଦନ୍ତ ଦାବି କରି ଓଡ଼ିଶା ହାଇକୋର୍ଟରେ ୫ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।