ବିଧାନସଭାରେ ବିଧାୟକ ହଟହଟା : ଧାରଣାରେ ବସିଥିବା ଏସଟି,ଏସି ଏମ୍ଏଲଏଙ୍କୁ ଉଠାଇ ନେଲେ ସୁରକ୍ଷାକର୍ମୀ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଆରଭି ଆଇନକୁ କାର୍ଯ୍ୟକାରୀ ଦାବିରେ ଧାରଣାରେ ବସିଥିଲେ ଏସସି ଓ ଏସଟି ବିଧାୟକ । ମେଡିକାଲ, ଇଂଜିନିୟରିଂ ଆଦି ବୈଷୟିକ ଶିକ୍ଷାରେ ଏସସି-ଏସଟି ଛାତ୍ରଛାତ୍ରୀଙ୍କ ୩୮ ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି ବିଧାୟକ । ଏସଟି କ୍ଷେତ୍ରରେ ୨୨ ପ୍ରତିଶତ ଏବଂ ଏସସି କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେଇଥିଲେ ବିଧାୟକ ।

ତେବେ ନିଜର ଦାବି ନେଇ ଯେତେବେଳେ ଏସସି-ଏସଟି ବିଧାୟକମାନେ ଧାରଣ ଦେଉଥିଲେ, ସେତେବେଳେ ବଳପୂର୍ବକ ତାଙ୍କୁ ଉଠାଇନେଲେ ସୁରକ୍ଷାକର୍ମୀ । ଫଟୋଗ୍ରାଫର ଓ କ୍ୟାମେରାମ୍ୟାନଙ୍କ ଖଚାଖଚ୍ ଭିଡ ରହୁଥିବା ଉକ୍ତ ସ୍ଥାନରେ ନଥିଲେ ଜଣେ ହେଲେ ପ୍ରତିନିଧି । କାହିଁକି ନା’ ଗଣମାଧ୍ୟମ ଉପରେ ଲାଗିଥିଲା କଟକଣା । ଠିକ୍ ଦିନ ୯ଟାରୁ ସାଢ଼େ ୯ଟା ମଧ୍ୟରେ ଗଣମାଧ୍ୟମକୁ ବାରଣ କରି ବିଧାୟକମାନଙ୍କୁ ବଳପୂର୍ବକ ଟେକିନେଇଥିଲେ ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉଠାଇଦେବା ପରେ ବିଧାୟକମାନେ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଆଗରେ ଧାରଣା ଦେଇଥିଲେ । ଆଉ ଠିକ୍ ଏହି ସମୟରେ ସୁରକ୍ଷାକର୍ମୀ ଓ ବିଧାୟକଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା ।

ବିଧାୟକଙ୍କୁ ବଳପୂର୍ବକ ଟେକିନେବା ବେଳେ ଆଉ କିଛି ରୋଚକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଠେଲାପେଲା ଓ ଟଣାଉଟଣା ଭିତରେ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ପ୍ରକାର କୌତୁଳହର ମାହୋଲ ନଜରକୁ ଆସିଥିଲା । କାରଣ କେଉଁଠି ସୁରକ୍ଷାକର୍ମୀ ହସୁଥିଲେ ତ ଆଉ କେଉଁଠି ଆନ୍ଦୋଳନକାରୀ ବିଧାୟକ ହସୁଥିଲେ ।