ଆଇନଜୀବୀଙ୍କ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟର କଡ଼ା ଆଭିମୁଖ୍ୟ । ହାଇକୋର୍ଟରେ ଅଚଳାବସ୍ଥା ହଟାଇବାକୁ ଆବଶ୍ୟକ ପଡ଼ିଲେ, ଅର୍ଦ୍ଧସାମରିକ ବାହିନୀ ହେବେ ମୁତୟନ

156

କନକ ବ୍ୟୁରୋ : ଆଇନଜୀବୀ ଆନ୍ଦୋଳନ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟର ଆଇନଜୀବୀ ମାନେ ଆନ୍ଦୋଳନରେ ଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ନ୍ୟାୟର ମନ୍ଦିର ଖୋଲା ରହିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କୌଣସି ସ୍ଥିତିରେ ଆଇନ ବ୍ୟବସ୍ଥାକୁ ସ୍ଥାଣୁ ହେବାକୁ ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏଦିଗରେ କଣ ପଦକ୍ଷେପ ନିଆଯାଇଛି ବୋଲି ଓଡ଼ିଶା ହାଇକୋର୍ଟଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ୍ କରିବାର ସୂଚନା ରହିଛି ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏସ କେ କଉଲ ଓ ଜଷ୍ଟିସ୍ କେ.ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ କାର୍ଯ୍ୟ ଅଚଳ ହୋଇପଡ଼ିଥିବା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଖଣ୍ଡପୀଠ ଜାଣିବାକୁ ଚାହଁଥିଲେ । ଯଦି ସ୍ଥାନୀୟ ପୁଲିସ୍ କୋର୍ଟ ଖୋଲିବାରେ ଓ କାର୍ଯ୍ୟ ପରିଚାଳନା କରିବାରେ ସହାୟତା ଯୋଗାଇବାରେ ସକ୍ଷମ ହେଉନାହାନ୍ତି, ତେବେ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି । ଆବଶ୍ୟକ ପଡିଲେ ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ । ଖଣ୍ଡପୀଠରେ ଓଡିଶା ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ ଯେ କୋର୍ଟ କାର୍ଯ୍ୟ ଚାଲିବା ଏବେ ଅସମ୍ଭବ ହୋଇପଡିଛି ।

ଅପ୍ରୀତିକର ପରିସ୍ଥିତି ପାଇଁ ଏ ସମ୍ପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହାଇକୋର୍ଟରେ ଘୁଂଚିଥିଲା । ଏହି ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଦୁଇ ଦିନ ସମୟ ନେଇଛନ୍ତି । ଏ ସମ୍ପର୍କିତ ପରବର୍ତି ଶୁଣାଣି ୨୪ ଅକ୍ଟୋବରକୁ ଧାର୍ଯ୍ୟ କରାଯାଇଛି । ଗତ ଅକ୍ଟୋବର ୧୬ ତାରିଖରେ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଏର ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଥିଲେ । ମାମଲା ପରିଚାଳନା ପାଇଁ ଆଇନଜୀବୀଙ୍କ କୋର୍ଟରେ ପ୍ରବେଶ ନେଇ କଣ ପଦକ୍ଷେପ ନିଆଯାଇଛି ତାର ଜବାବ ମାଗିଛନ୍ତି ଖଣ୍ଡପୀଠ ।