ସର୍ବୋଚ୍ଚ ନ୍ୟାୟାଳୟରୁ ପାନେ ପାଇଲେ ଅଭିଜିତ୍ ଆୟର : ଆଜି ପୁରୀ ସଦର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ନହେଲେ ବାନ୍ଧିପାରେ ପୋଲିସ

38

କନକ ବ୍ୟୁରୋ : ଓଡିଶା ବିରୋଧୀ ମନ୍ତବ୍ୟ ଅଭିଜିତ୍ ଆୟାର ମିତ୍ରଙ୍କ ପାଇଁ ମହଙ୍ଗା ପଡିଛି । ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ପରେ ଆଜି ପୁରୀ ସଦର ଥାନାରେ ହାଜର ହେବେ ଅଭିଜିତ । ହାଜର ନହେଲେ ପୁଲିସ ତାଙ୍କୁ ଗିରଫ କରିବା ସମ୍ଭାବନା ବି ରହିଛି । ହସମଜା ଆଳରେ କୋଟି କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଏବଂ ଐତିହ୍ୟ କିର୍ତୀରାଜିର ଭର୍ସନା କରିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି । ବେଲ୍ ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଅଭିଜିତଙ୍କୁ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କ ପାଇଁ ଖୋଲି ଯାଇଛି ଜେଲଦ୍ୱାର । ଶୁକ୍ରବାର ସୁଦ୍ଧା ପୁରୀସଦର ଥାନାରେ ଆତ୍ମସମର୍ପଣ ନକଲେ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି ।

କୋଣାର୍କ ମନ୍ଦିର ଓ ଓଡିଶାର ବିଧାୟକଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଓଡିଶାବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ଜାମିନ୍ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି ।

ଅଭିଜିତ୍, ଧର୍ମୀୟ ଭାବନାକୁ ଉସୁକାଉଥିବାରୁ ଜାମିନ ପାଇଁ ହକଦାର ନୁହଁନ୍ତି ବୋଲି କହିଛନ୍ତି ପ୍ରଧାନ ବିଚାରପତି ରଂଜନ ଗୋଗୋଇ । ଅଭିଜିତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ଓକିଲ କୋର୍ଟରେ ସୁରକ୍ଷା ମାଗିଥିଲେ । ପ୍ରଧାନବିଚାରପତି ଏହାକୁ ଏଡାଇ ଯାଇ ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ଜାଗା ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ପୁରୀ ସଦର ଥାନାରେ ହାଜର ହେବାକୁ ଏକ ପ୍ରକାର ବାଧ୍ୟ ବୋଲି କୁହାଯାଉଛି ।