ଆଧାର ସହ ମୋବାଇଲ୍‌ ନମ୍ବର ଲିଙ୍କ୍‌ ମାମଲା : ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

35

କନକ ବ୍ୟୁରୋ : ବାଧ୍ୟତାମୂଳକ ଭାବେ ଆଧାର ସହ ମୋବାଇଲ୍‌ ନମ୍ବର ଲିଙ୍କ୍‌ ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ଦିଆଯାଇଥିବା ରାୟକୁ ସରକାର ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା କୋର୍ଟ କହିଛନ୍ତି । ମୋବାଇଲ୍‌ ନମ୍ବର-ଆଧାର ଲିଙ୍କ୍‌କୁ ନେଇ ଦାଖଲ ହୋଇଥିବା ବିଭିନ୍ନ ମାମଲାର ଶୁଣାଣୀ ଗତକାଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ହୋଇଥିଲା ।

ଲୋକନିତି ଫାଉଣ୍ଡେସନ ପକ୍ଷରୁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୬ରେ ରାୟ ଦେଇଥିଲେ ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍‌ ବ୍ୟବହାରକାରୀଙ୍କ ପରିଚୟ ଯାଞ୍ଚ ହେବା ଜରୁରୀ । ସେହି ରାୟର ଆଧାର ସହିତ କୌଣସି ସମ୍ପର୍କ ନଥିଲା । କିନ୍ତୁ ସରକାର ଉକ୍ତ ରାୟକୁ ଭିତ୍ତି କରି ମୋବାଇଲ୍‌ ନମ୍ବର ସହ ଆଧାର ଲିଙ୍କ୍‌ କରିବା ବିଷୟକୁ ବାଧ୍ୟତାମୂଳକ କରିଛନ୍ତି ବୋଲି ସମ୍ବିଧାନ ପୀଠ କହିଛନ୍ତି । ଏହି ସମ୍ବିଧାନ ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ବିଚାରପତି ଏ କେ ସିକ୍ରି, ଏ ଏମ୍‌ ଖାନଓ୍ଵିଲକର୍‌, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ ।

ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଇ-କେଓ୍ଵାସି ମାଧ୍ୟମରେ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ କରିବାକୁ ଟେଲିକମ୍‌ ବିଭାଗ କହିଥିଲେ । ଟେଲିଗ୍ରାଫ୍‌ ନିୟମ ମଧ୍ୟ ସରକାରଙ୍କୁ ସେବା ପ୍ରଦାନକାରୀଙ୍କ ଲାଇସେନ୍ସ ସର୍ତ୍ତାବଳୀ ଉପରେ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ପ୍ରଦାନ କରିଛି । ଏହାର ଜବାବରେ ଖଣ୍ଡପୀଠ କହିଛନ୍ତି ଯେ ଲାଇସେନ୍ସ ବୁଝାମଣା ସରକାର ଓ ସେବା ପ୍ରଦାନକାରୀ ସଂସ୍ଥା ଭିତରେ ହୋଇଥାଏ । ସେବା ହାସଲ କରୁଥିବା ବ୍ୟକ୍ତିଙ୍କ ଉପରେ ଟେଲିକମ୍‌ ବିଭାଗ କିଭଳି ସର୍ତ୍ତ ଲାଗୁ କରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ)ର ପ୍ରସ୍ତାବ ଅନୁଯାୟୀ ମୋବାଇଲ୍‌ ନମ୍ବର ସହିତ ଆଧାର ସିଡ୍‌ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦ୍ୱିଦେବୀ କହିଥିଲେ । ଆଧାର ଜରିଆରେ ଲୋକମାନଙ୍କ ଉପରେ ସରକାର ୨୪ ଘଣ୍ଟା ନଜର ରଖିବେ ବୋଲି ଯେଉଁ ଚର୍ଚା ହେଉଛି ତାହା ଅମୁଳକ ବୋଲି ସେ କହିଥିଲେ । କୋର୍ଟରେ ସେ ଏହା ମଧ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ବ୍ୟାଙ୍କ ଓ ଟେଲିକମ୍‌ କଂପାନିଗୁଡ଼ିକ ପାଖରେ ଗ୍ରାହକମାନଙ୍କର ଅନେକ ତଥ୍ୟ ରହିଛି । ସେମାନଙ୍କୁ କେହି ପ୍ରଶ୍ନ କରୁନାହାନ୍ତି । ଆଧାରକୁ ଜାଣିଶୁଣି ଟାର୍ଗେଟ୍‌ କରାଯାଉଛି । ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଥିବା ଏକ ଆପ୍‌ ବିଷୟରେ ସେ ସମ୍ବିଧାନ ଖଣ୍ଡପୀଠକୁ ଜଣାଇଥିଲେ ଯେଉଁଥିରେ ଲୋକମାନଙ୍କ ଅନେକ ବ୍ୟକ୍ତିଗତ ତଥ୍ୟ ରହିଛି । ସେ ନିଜର ଅନେକ ଗୋପନୀୟ ତଥ୍ୟକୁ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଯାହା ଶୁଣି ସମ୍ବିଧାନ ପୀଠର ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଧାର ନିୟମ କିଭଳି କାମ କରିବ ସେଥିପାଇଁ ଉପାୟ ବାହାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।