ବିଚାରପତିଙ୍କ ନାମରେ ଲାଞ୍ଚ ମାମଲା : ଦୁଇ ଜଣିଆ ବେଞ୍ଚର ନିର୍ଦେଶ ରଦ୍ଦ

92

କନକ ବ୍ୟୁରୋ : ସୁପ୍ରିମ କୋର୍ଟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିଚାରପତିଙ୍କ ନାମରେ ଲାଞ୍ଚ ମାମଲାରେ ଗତକାଲି ଦୁଇ ଜଣିଆ ଖଣ୍ଡପୀଠ ଦେଇଥିବା ନିର୍ଦେଶକୁ ଆଜି ପାଞ୍ଚ ଜଣିଆ ବେଞ୍ଚ ଖାରଜ କରିଦେଇଛନ୍ତି। ଏଭଳି ନିର୍ଦେଶ ଦେବାଲାଗି ଏହି ଖଣ୍ଡପୀଠର କ୍ଷମତା ନାହିଁ। ଏହା କୋର୍ଟର ବିଚାର ପ୍ରକ୍ରିୟା, ବିଚାର ବିଭାଗୀୟ ଶୃଙ୍ଖଳା ଏବଂ ଡେକୋରମର ବିରୋଧାଚରଣ କରୁଛି ବୋଲି କହିଛନ୍ତି।

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କୁଦ୍ଦୁସି ଜଡ଼ିତ ଥିବା ଏକ ଦୁର୍ନୀତି ମାମଲାର ବିଚାର ୫ ଜଣିଆ ସମ୍ବିଧାନ ବେଞ୍ଚରେ କରିବାକୁ ଗତକାଲି ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଞ୍ଚ ନିର୍ଦେଶ ଦେଇଥିଲେ। ଏହି ବେଞ୍ଚରେ ଜଷ୍ଟିସ ଜେ. ଚେଲାମେଶ୍ୱର ଏବଂ ଜଷ୍ଟିସ ଅବଦୁଲ ନଜୀର ଥିଲେ। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ ଜଣିଆ ବେଞ୍ଚ ଆଜି ଏହି ଆଦେଶକୁ ଖାରଜ କରିଦେଇଛନ୍ତି। ବେଞ୍ଚ କହିଛନ୍ତି ଯେ ମାମଲାର ଶୁଣାଣି କେଉଁ ବେଞ୍ଚ କରିବ ସେ ନିଷ୍ପତ୍ତି ନେବାର କ୍ଷମତା କେବଳ ପ୍ରଧାନ ବିଚାରପତିଙ୍କର ରହିଛି। ଦୁଇ କିମ୍ବା ତିନି ଜଣିଆ ବେଞ୍ଚ ଏଭଳି ନିଷ୍ପତ୍ତି ନେଇ ପାରିବେ ନାହିଁ। କୌଣସି ମାମଲାର ଶୁଣାଣି ଏକ ନିର୍ଦିଷ୍ଟ ବେଞ୍ଚ ଦ୍ୱାରା କରାଇବା ଲାଗି ସେମାନେ ପ୍ରଧାନ ବିଚାରପତିଙ୍କୁ ନିର୍ଦେଶ ଦେଇପାରିବେ ନାହିଁ। ପ୍ରଧାନ ବିଚାରପତି ହେଉଛନ୍ତି କୋର୍ଟର ସର୍ବୋଚ୍ଚ କର୍ତା ଏବଂ ତାଙ୍କର ବିନା ଅନୁମତିରେ କୌଣସି ବେଞ୍ଚ କୌଣସି ମାମଲାର ଶୁଣାଣି କରିପାରିବ ନାହିଁ। ଆଜିର ବେଞ୍ଚରେ ପ୍ରଧାନ ବିଚାରପତିଙ୍କ ସମେତ ଜଷ୍ଟିସ ଆରକେ ଅଗ୍ରଓ୍ଵାଲ, ଅରୁଣ ମିଶ୍ର, ଅମିତାଭ ରାୟ ଏବଂ ଏଏମ୍‌ ଖାନଓ୍ଵିଲକର ଥିଲେ।

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ଏକ ଘରୋଇ ମେଡିକାଲ କଲେଜ ସପକ୍ଷରେ ରାୟ ପାଇଁ ସୁପ୍ରିମ କୋର୍ଟ ବିଚାରପତିଙ୍କୁ ପ୍ରଭାବିତ କରିବା ଲାଗି ଷଡ଼ଯନ୍ତ୍ର ହୋଇଥିଲା। ଏଥିରେ ଜଷ୍ଟିସ କୁଦ୍ଦୁସି ଏବଂ ଜଣେ ହଓ୍ଵାଲା ବ୍ୟବସାୟୀ ଜଡ଼ିତ ଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ସିବିଆଇ କରୁଛି। ସିବିଆଇ ଚଢ଼ଉ କରି ଜଷ୍ଟିସ କୁଦ୍ଦୁସି ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏଭଳି ଦୁର୍ନୀତି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସମ୍ବିଧାନ ବେଞ୍ଚ ଦ୍ୱାରା ବିଚାର କରିବାକୁ ଗତକାଲି ଦୁଇ ଜଣିଆ ବେଞ୍ଚ ନିର୍ଦେଶ ଦେଇଥିଲେ। ତେବେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ବା ଏସ୍‌ଆଇଟି ଦ୍ୱାରା ଏହାର ଯାଞ୍ଚ କରିବା ଲାଗି ଦୁଇଟି ପୃଥକ ପିଟିସନ ଦାୟର ହୋଇଥିଲା।

ପ୍ରଥମ ପିଟିସନର ବିଚାର ଗତକାଲି ଦୁଇ ଜଣିଆ ବେଞ୍ଚରେ ହୋଇଥିବା ବେଳେ ଅନ୍ୟ ପିଟିସନର ବିଚାର ଆଜି ଜଷ୍ଟିସ ଏକେ ସିକରି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ବେଞ୍ଚରେ ହୋଇଥିଲା। ତେବେ ଆଜିର ବେଞ୍ଚ ମାମଲାର ନିଷ୍ପତ୍ତି ନେବାଲାଗି ପ୍ରଧାନ ବିଚାରପତିଙ୍କ କୋର୍ଟକୁ ପଠାଇ ଦେଇଥିଲା। ଜଷ୍ଟିସ ସିକରି କହିଥିଲେ ଯେ ବ୍ୟକ୍ତି ଯିଏ ଥାଉନା କାହିଁକି ସେ ଆଇନର ଉର୍ଦ୍ଧ୍ୱରେ ନୁହେଁ। ଏହି ସମୟରେ ବରିଷ୍ଠ ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣ ପ୍ରଧାନ ବିଚାରପତିଙ୍କ ସଂପର୍କରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଏହାର କିଛି ସମୟ ପରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ୫ ଜଣିଆ ବେଞ୍ଚ କରି ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ଗତକାଲି ୨ ଜଣିଆ ବେଞ୍ଚ ଦେଇଥିବା ଆଦେଶକୁ ଖାରଜ କରିଦେଇଥିଲେ। ଏହି ଅବସରରେ ବାର୍‌ କାଉନସିଲ୍‌ର କେତେକ କର୍ମକର୍ତା ଏବଂ ଅନେକ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଏବଂ ତାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଚଳାଇବାକୁ ଦାବି କରିଥିଲେ। ଆଜିର ଶୁଣାଣିକୁ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ଆଦେଶ ଦେବାଲାଗି କେତେକ ଓକିଲ ଦାବି କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ କହିଥିଲେ ଯେ ବାକ୍‌ ସ୍ୱାଧୀନତା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ଗଣମାଧ୍ୟମ ଉପରେ ସେ କଟକଣା ଜାରି କରିପାରିବେ ନାହିଁ।