ଆଜି ସରୁଛି ଏସସି ଜମିରଙ୍କ କାର୍ଯ୍ୟକାଳ : ବିଧାନସଭାରେ ଶେଷ ଅଭିଭାଷଣ ରଖିବେ ରାଜ୍ୟପାଳ, ନୂଆ ରାଜ୍ୟପାଳ ନିଯୁକ୍ତି ନହେବା ଯାଏଁ ତୁଲାଇବେ ଦାୟିତ୍ୱ

125

କନକ ବ୍ୟୁରୋ : ଆଜି ରାଜ୍ୟପାଳ ଡ. ଏସ.ସି. ଜମିରଙ୍କ କାର୍ଯ୍ୟକାଳ ସରୁଛି । ତେବେ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜମିର ପଦବୀରେ ରହିବେ । ୨୦୧୩ ମାର୍ଚ୍ଚ ୨୧ରେ ଜମିର ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ । ଜମିରଙ୍କ କାର୍ଯ୍ୟକାଳ ସମୟରେ ରାଜଭବନ ବେଶ୍ ଚର୍ଚ୍ଚାରେ ରହିଆସିଛି । ବାଚସ୍ପତି ଓ ସଚିବଙ୍କୁ ଡାକି ରାଜ୍ୟପାଳ କୈଫିୟତ ମାଗିବା ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା । ବିରୋଧୀ ଅଭିଯୋଗ ସମ୍ପର୍କରେ ଜମିର କଫିୟିତ ମାଗିଥିଲେ ।

ସେହିପରି ବିଧାନସଭାରେ ପାରିତ ବିଲକୁ ମଧ୍ୟ ରାଜ୍ୟପାଳ ଫେରାଇ ଦେଇଥିଲେ । ବିଧାନସଭାରେ ସରକାର ଏକତରଫା ଭାବେ ପାରିତ କରିଥିବା ଓଡ଼ିଶା ପୁଲିସ୍ ବିଲ୍ ଉପରେ ଆପତ୍ତି ଉଠାଇ ରାଜ୍ୟପାଳ ଏହାକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ । ଏହି ଘଟଣାରେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ବିରୋଧୀ ଦାବି କରିଥିଲେ । ସେପରି ବିପିୟୁଟି ସଂଶୋଧନ ବିଲ୍ ଉପରେ ଆପତ୍ତି ଉଠାଇଥିଲେ ଜମିର । ବିଲଟି ରାଜଭବନରୁ ସରକାରଙ୍କ ପାଖକୁ ଫେରି ଆସିଥିଲା । ବିଶ୍ୱବିଦ୍ୟାଳୟ ସଂସ୍କାର ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଖୋଲାଖୋଲି ମନ୍ତବ୍ୟ ରଖିଥିଲେ । ଜମିର ଓଡ଼ିଶାର ରାଜ୍ୟପାଳ ହେବା ପୂର୍ବରୁ ମହାରାଷ୍ଟ୍ର,ଗୋଆ ଓ ଗୁଜରାଟର ମଧ୍ୟ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।