ଆଜି ସୁପ୍ରିମକୋର୍ଟରେ ପୋଲାଭରମ ବିବାଦର ଶୁଣାଣି ! ନିଜର ପକ୍ଷ ରଖିବେ ରାଜ୍ୟ ସରକାର

34

କନକ ବ୍ୟୁରୋ: ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଆଜି ବିବାଦୀୟ ପୋଲାଭରମ ପ୍ରକଳ୍ପର ଶୁଣାଣି ହେବ । ଓଡିଶା ସରକାର ଆପୋଷ ବୁଝାମଣା ନେଇ ଯେଉଁ ସବୁ ତଥ୍ୟ ପାଇଛନ୍ତି ସେନେଇ ଖଣ୍ଡପୀଠଙ୍କୁ ଅବଗତ କରାଇବେ । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦେଇଥିବା ପ୍ରସ୍ତାବ ମୁତାବକ, ଆପୋଷ ସମାଧାନକୁ ଗୁରୁତ୍ୱ ଦେବେ ନା ନ୍ୟାୟିକ ପ୍ରକ୍ରିୟାରେ ସମାଧାନ ଚାହିଁବେ ସେନେଇ ଓଡିଶା ସରକାରଙ୍କ ଆଭିମୁଖ୍ୟ ଆଜି ସ୍ପଷ୍ଟ ହେବା ସମ୍ଭାବନା ରହିଥିବା କୁହାଯାଉଛି ।

ପୋଲାଭରମ ପ୍ରକଳ୍ପ ନେଇ ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ପୃଥକ୍ ଭାବେ ମାମଲା ଦାୟର କରିଥିବା ବେଳେ କିଛି ଦିନ ତଳେ ଓଡିଶା ଓ ତେଲେଙ୍ଗାନା ମିଳିତ ଭାବେ ଆଇନଗତ ଲଢେଇକୁ ଆଗେଇ ନେବାକୁ ସ୍ଥିର କରିଛନ୍ତି । ପ୍ରକଳ୍ପ କାମକୁ ଆନ୍ଧ୍ର ପ୍ରଦେଶ ସରକାର ଜୋରସୋରରେ ଶେଷ କରିବାକୁ ଲାଗିଥିବା ବେଳେ ଏଥିରେ ରହିତାଦେଶ ଦେବା ଲାଗି ଓଡିଶା ଦାବି କରିବା ସମ୍ଭାବନା ରହିଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ସତ୍ୟପାଠର ଜବାବ ମଧ୍ୟ ଓଡିଶା ଦେଇସାରିଛି ।

ପ୍ରକଳ୍ପ କାର୍ଯ୍ୟକୁ ଆନ୍ଧ୍ରପ୍ରଦେଶ ସରକାର ଜୋରସୋରରେ ଶେଷ କରିବାକୁ ଲାଗିଥିବା ବେଳେ ଏଥିରେ ରହିତାଦେଶ ଜାରି କରିବା ପାଇଁ କୋର୍ଟରେ ଓଡ଼ିଶା ସରକାର ଅପିଲ କରିପାରନ୍ତି । ଏହାମଧ୍ୟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ୍ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିସାରିଛନ୍ତି । ଏହି ଜବାବରେ ଓଡ଼ିଶା ସରକାର ପ୍ରକଳ୍ପକୁ ନେଇ ରାଜ୍ୟର ଆପତ୍ତି ଅଭିଯୋଗକୁ ବିଶେଷଭାବେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଛତିଶଗଡ଼ ମଧ୍ୟ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଜିଲ୍ଲା ଓ ଲୋକଙ୍କ ଅସୁବିଧା ସମ୍ପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି । ତେଲେଙ୍ଗାନାର ସ୍ୱେଚ୍ଛୋସେବୀ ସଂଗଠନ‘ରେଲା’ମଧ୍ୟ ସୁପ୍ରିମକୋର୍ଟରେ ଏହି ପ୍ରକଳ୍ପ ସଂକ୍ରାନ୍ତ ଯୁକ୍ତି ଉପସ୍ଥାପନ କରିବ ।