କର୍ଣ୍ଣାଟକ ନାଟକ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ। ଲୁଚିଥିବା ବିଧାୟକଙ୍କୁ ସାମ୍ନାକୁ ଆସି ଇସ୍ତଫା ଦେବାକୁ ନିର୍ଦ୍ଦେଶ

ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟିବାକୁ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

291

କନକ ବ୍ୟୁରୋ: କର୍ଣ୍ଣାଟକରେ ରାଜନୈତିକ ନାଟକ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ମୁମ୍ବାଇ ହୋଟେଲରେ ଲୁଚିଥିବା ୧୦ଜଣ ବିଦ୍ରୋହୀ ବିଧାୟକଙ୍କୁ ସାମନାକୁ ଆସି ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତିଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଧାୟକମାନେ ସେମାନଙ୍କର ଇସ୍ତଫାର କାରଣ ଜଣାଇବାକୁ କହିଛନ୍ତି ।

source : Zee News

ଅନ୍ୟପଟେ ବିଧାୟକଙ୍କ ଇସ୍ତଫା ମାମଲାରେ ଆଜି ହିଁ ନିଷ୍ପତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଇସ୍ତଫା ପ୍ରସଙ୍ଗ ଉପରେ ଚୂଡାନ୍ତି ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତି ଜାଣିଶୁଣି ବିଧାୟକଙ୍କ ଇସ୍ତଫାକୁ ଅସାମ୍ବିଧାନିକ କହିବା ସହ ଗ୍ରହଣ କରୁନଥିବା ଅଭିଯୋଗ କରି ସୁପିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ରୋହୀ ବିଧାୟକ । କର୍ଣ୍ଣାଟକର ୮ଜଣ କଂଗ୍ରେସ ବିଧାୟକ ଉପଯୁକ୍ତ ପ୍ରକ୍ରିୟାରେ ଇସ୍ତଫା ଦେଇନଥିବା ଦର୍ଶାଇ ଏହାକୁ ଗ୍ରହଣ କରିନଥିଲେ ବାଚସ୍ପତି । ଏବଂ ୧୨ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ଆସି ପକ୍ଷ ରଖିବାକୁ ନୋଟିସ୍ କରିଥିଲେ । କିନ୍ତୁ ବାଚସ୍ପତିଙ୍କ ଏହି ନିଷ୍ପତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ରୋହୀ ବିଧାୟକ ।

ସେପଟେ, କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଡ୍ରାମା ବାଙ୍ଗାଲୁରୁରୁ ଯାଇ ଏବେ ଦିଲ୍ଲୀରେ ପହଁଚିଛି । କର୍ଣ୍ଣାଟକରେ ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଉଥିବାବେଳେ ସଂସଦ ଭବନ ବାହାରେ ଧାରଣା ଦେଇଛି କଂଗ୍ରେସ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ସଂଖ୍ୟାରେ ସାଂସଦ ଓ ନେତା ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ଧାରଣା ଦେଇଛନ୍ତି । ଅନ୍ୟପଟେ ବେଙ୍ଗାଲୁରର ଏକ ଗେଷ୍ଟ ହାଉସରେ ବିଧାୟକମାନଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏହି ବୈଠକରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧ ରମୈୟା, ଗୁଲାମ ନବୀ ଆଜାଦ ଓ କେସି ବେଣୁଗୋପାଳ ସାମିଲ ହୋଇଛନ୍ତି । କଂଗ୍ରେସ-ଜେଡିଏସର ୧୧ ଜଣ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ମେଂଟ ସରକାର ପ୍ରତି ସଂକଟ ସୃଷ୍ଟି ହୋଇଛି । ତେବେ ତାଙ୍କ ସରକାର ପ୍ରତି ବିପଦ ନଥିବା ଆଜି ପୁଣି ଥରେ ଦାବି କରିଛନ୍ତି କୁମାରସ୍ୱାମୀ ।