କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ : କୋର୍ଟ କହିଲେ, ବିବାହ ଖର୍ଚ୍ଚ ହିସାବ ଦେବା ହେଉ ବାଧ୍ୟତା ମୂଳକ

54

କନକ ବ୍ୟୁରୋ : ପରିବାରରେ ବିବାହ ପାଇଁ ହେଉଥିବା ଖର୍ଚ୍ଚ ବିବରଣୀ ଦେବାକୁ ବାଧ୍ୟତାମୂଳକ କରାଯିବା ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯଦି ସରକାର ଏହି ପରାମର୍ଶକୁ ଗ୍ରହଣ କରନ୍ତି, ତାହେଲେ ଖୁବଶୀଘ୍ର ବିବାହ ବାବଦରେ ହେଉଥିବା ଖର୍ଚ୍ଚର ହିସାବ ଦେବାକୁ ପଡିବ । କୋର୍ଟ କହିଛନ୍ତି, ବର ଏବଂ ବଧୂ ଉଭୟ ପକ୍ଷଙ୍କୁ ବିବାହ ବାବଦରେ ହେଉଥିବା ଖର୍ଚ୍ଚ ବିବରଣୀ ସଂପୃକ୍ତ ଅଧିକାରୀଙ୍କୁ ଲିଖିତ ଭାବେ ଦେବାକୁ ବାଧ୍ୟତାମୂଳକ କରାଯିବା ଦରକାର । ସରକାର ଏବାବଦରେ ନିୟମ କାନୁନର ଯାଂଚ କରି ଆବଶ୍ୟକ ସଂଶୋଧନ କରିବାକୁ ଉଚ୍ଚତମ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଯୈାତୁକ ଆଇନରେ ରୁଜୁ ହେଉଥିବା ମିଛ ମାମଲା ମଧ୍ୟ ନିୟନ୍ତ୍ରଣ କରିହେବ ବୋଲି କୋର୍ଟ କହିଛନ୍ତି । ସରକାର ଲ’ ଅଫିସରଙ୍କ ମାଧ୍ୟମରେ ଏନେଇ ମତାମତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏକ ଯୈାତୁକ ମାମଲାର ଶୁଣାଣି କରି କୋର୍ଟ ଏଭଳି ମତ ରଖିଛନ୍ତି ।

ସୂଚନାଯୋଗ୍ୟ, ଏଣିକି ନିଜ ପୁତ୍ର ବା କନ୍ୟାର ବିବାହରେ ପିତାମାତା କେତେ ପରିମାଣର ଅର୍ଥ କେଉଁ ବାଟରେ ଖର୍ଚ୍ଚ କରୁଛନ୍ତି, ତାହାର ସଂପୂର୍ଣ୍ଣ ହିସାବ ଆଞ୍ଚଳିକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ହେଲେ ଯୌତୁକ ପ୍ରଥା ବନ୍ଦ ହେବା ସହ, ଅନେକ ସମୟରେ ବିବାହ ପରେ ଅଧିକ ଯୌତୁକ ଦେଇଥିବାର ମିଥ୍ୟା ଦାବି କରି ଯେଉଁ ସବୁ ମିଥ୍ୟା ମାମଲା ଆଗତ ହେଉଛି ତାହା ଉପରେ ମଧ୍ୟ ଲଗାମ୍ ଲାଗି ପାରିବ। ଖାଲି ଏତିକି ନୁହେଁ ; ଏହି ନିୟମ ଲାଗୁ ହେଲେ ଯାଇ ଦେଶରେ ଯୌତୁକ ନିଷେଧ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରିବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟ। ତେଣୁ, ଏହି ନିୟମକୁ ଦେଶରେ ଯଥାଶୀଘ୍ର ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମ୍ କୋର୍ଟ।

ଏହି ନିୟମ ଲାଗୁ ହେଲେ, ଏବଂ ବିବାହର ସଂପୂର୍ଣ୍ଣ ଖର୍ଚ୍ଚ ତାଲିକା ଆଞ୍ଚଳିକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ ହେଲେ ବିଭିନ୍ନ କ୍ଷେତ୍ରରେ ବିବାହ ପରବର୍ତ୍ତୀ ସମୟରେ ଉଠୁଥିବା ଯୌତୁକ ଜନିତ ବିବାଦକୁ ମଧ୍ୟ ରୋକାଯାଇ ପାରିବ। ଏଥିସହ ବିବାହ ସମୟରେ କନ୍ୟା ମାନଙ୍କ ବ୍ୟାଙ୍କରେ ଏକ ଜମାଖାତା ଖୋଲି ସେଥିରେ ମଧ୍ୟ କିଛି ଅର୍ଥ ଜମା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଯୌତୁକ ଏବେ ଅନେକ ବୈବାହିକ ବିବାଦର ମୁଖ୍ୟକାରଣ ପାଲଟିଥିବା ହୃଦବୋଧ କଲାପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ଏହି ପରାମର୍ଶ ଦେଇଥିବା କହିଛନ୍ତି।