ନିଶା ଚାଲିବନି ରାସ୍ତାକଡରେ ! ରାଜପଥ କଡରୁ ମଦ ଦୋକାନ ହଟାଇବାକୁ ସୁପ୍ରିମକୋର୍ଟଙ୍କ ଡେଡଲାଇନ୍

32

କନକ ବ୍ୟୁରୋ : ଯାତ୍ରୀଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ରାଜପଥ ନିକଟରୁ ୫୦୦ ମିଟର ଦୂର ଯାଏଁ ରହିପାରିବନି ମଦ ଦୋକାନ । ଯେଉଁ ଦୋକାନୀଙ୍କ ଲାଇସେନ୍ସ ଅଛି ସେମାନେ ତାଙ୍କ ଦୋକାନ କେବଳ ୨୦୧୭ ମାର୍ଚ୍ଚ ୩୧ ଯାଏଁ ଚଳାଇ ପାରିବେ । ଅର୍ଥାତ୍ ଆସନ୍ତା ଏପ୍ରିଲ ପହିଲାରୁ ରାଜପଥ କଡରେ ଥିବା ସମସ୍ତ ମଦଦୋକାନ ବନ୍ଦ ହେବ ।

ଏଣିକି ରାସ୍ତାକଡରେ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ କି ପୁରୁଣା ଦୋକାନର ଅନୁମତି ନବୀକରଣ ହେବ ନାହିଁ । ଏହାର ଅନୁଧ୍ୟାନ କରିବା ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ରାସ୍ତାକଡରୁ ମଦର ବିଜ୍ଞାପନ ଓ ହୋଡିଂସ୍ ହଟାଇବାକୁ ମଧ୍ୟ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

ଓଡିଶାର ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥ କଡରେ ରହିଛି ମାଳ ମାଳ ମଦଦୋକାନ । ଅନେକ ସମୟରେ ଏଠାରେ ଅସାମାଜିକ ଲୋକଙ୍କ ଭିଡ ଜମୁଛି । ଫଳରେ ସଡକ ଦୁର୍ଘଟଣା ସହ ବିଭିନ୍ନ ବେଆଇନ କାରବାର ଏହିସବୁ ସ୍ଥାନରେ ଘଟୁଛି । ଏହାକୁ ନେଇ ଚିନ୍ତାରେ ଥିବା ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । ସେପଟେ ରାଜ୍ୟ ସରକାର ଏହାକୁ କିପରି କାର୍ଯ୍ୟକାରୀ କରିବେ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ରାଜସ୍ୱ ବୃଦ୍ଧି କୌଣସି ସରକାର ପାଇଁ ମଦଦୋକାନ ଖୋଲିବା ନେଇ ଏକ ଯୁକ୍ତି ନୁହେଁ ବୋଲି କୋର୍ଟ କହିଛନ୍ତି । ପ୍ରତିଦିନ ପ୍ରାୟ ୧୪ଶହ ଦୁର୍ଘଟଣା ଘଟୁଥିବା ବେଳେ ପ୍ରାୟ ୪୦୦ ଜଣଙ୍କ ପ୍ରାଣହାନୀ ହେଉଥିବା ଆକଳନ କରାଯାଇଛି । ତେଣୁ ପ୍ରତି ଘଂଟା ଯାଉଛି ପ୍ରାୟ ୧୭ ଜଣଙ୍କ ଜଣ ଜୀବନ । ଏହାଠାରୁ କଣ ରାଜସ୍ୱ ବେଶୀ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ।